କୋରାପୁଟ: ଆଇପିଏଲ୍ ବେଟିଂର ନିଶା ନେଲା ଆଉ ଏକ ଜୀବନ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଶୁକ୍ରାପୁଟ ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ରେ ବେଟିଂ କରି ଟଙ୍କା ହାରିବା ପରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୋମବାର ସକାଳେ ଗାଁ ନିକଟସ୍ଥ ଏକ କାଜୁ ବଗିଚାରେ ଗଛରେ ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଏହା ଦେଖି ପରିବାର ଲୋକ ଓ ଗ୍ରାମବାସୀ ଚକିତ ହୋଇଯାଇଥିଲେ। ପରେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନାବାଳକ ଜଣକ ତାଙ୍କ ବାପାଙ୍କ PhonePe ଆକାଉଣ୍ଟରୁ ୪ ହଜାର ଟଙ୍କା ନେଇ ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ରେ ବେଟିଂ କରିଥିଲେ। କିନ୍ତୁ ବେଟିଂରେ ସେ ସମସ୍ତ ଟଙ୍କା ହାରିଯାଇଥିଲେ। ଟଙ୍କା ହାରିବା ପରେ ବାପା ଜାଣିଲେ କଣ ହେବ, ସେହି ଭୟ ଓ ମାନସିକ ଚାପରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରୁଛି ପୁଲିସ।
ଖବର ପାଇ ଦଶମନ୍ତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରେ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ବେଟିଂ କାରବାର ଓ ଅନଲାଇନ୍ ଟଙ୍କା କାରବାର ସମ୍ପର୍କରେ ମଧ୍ୟ ଖୋଳତାଡ଼ ଚାଲିଛି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏହାସହ ନାବାଳକମାନଙ୍କ ମଧ୍ୟରେ ଅନଲାଇନ୍ ବେଟିଂର ବଢ଼ୁଥିବା ପ୍ରଭାବକୁ ନେଇ ଚିନ୍ତା ବଢ଼ାଇଛି। ପିଲାଙ୍କ ମୋବାଇଲ୍ ବ୍ୟବହାର, ଡିଜିଟାଲ୍ କାରବାର ଏବଂ ଅନଲାଇନ୍ କାର୍ଯ୍ୟକଳାପ ଉପରେ ଅଭିଭାବକମାନେ ନଜର ରଖିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।