ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ଥରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଆଜି ୧୮ତମ ସଂସ୍କରଣରେ ୬୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ବିଭିନ୍ନ ରୋଗୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯାଇଛି । ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ଭୁବନେଶ୍ୱର ୟୁନିଟ–୨ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ୧୪ ଜଣ ମନ୍ତ୍ରୀ ସାମିଲ ହୋଇଥିଲେ । ଗ୍ରୀଷ୍ମ ପ୍ରବାହ ଯୋଗୁଁ 1000 ବଦଳରେ 500 ଜଣ ବ୍ୟକ୍ତି ଅନଲାଇନ୍ ଏବଂ ଅଫ୍ ପଞ୍ଜିକରଣ ହୋଇଥିଲା । ଅଭିଯୋଗ ପାଇଁ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ ଗ୍ରହଣ କରାଯାଇଥିଲା । ଆଜି ୬୫୦ ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତନ୍ମଧ୍ୟରୁ ୧୩ ଜଣ ରୋଗୀଙ୍କୁ ୩ ଲକ୍ଷ ୬୦ ହଜାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । ସେହିପରି ନୟାଗଡ଼ର କାମାକ୍ଷୀ ସାହୁଙ୍କ ସ୍ୱାମୀଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହ ପାଇଁ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ତାପମାତ୍ରା କମିବା ପରେ ପୂର୍ବ ଭଳି ଶୁଣାଣି ଜାରି ରହିବ । ଏପ୍ରିଲ ମାସ ସୁଦ୍ଧା ୧୭ଟି ଅଭିଯୋଗ ଶୁଣାଣିରେ ୧୪, ୬୫୧ଟି ଅଭିଯୋଗ ଆସିଥିବାବେଳେ ୧୪, ୦୪୦ ଅଭିଯୋଗ ଅର୍ଥାତ ୯୪ ପ୍ରତିଶତ ଅଭିଯୋଗ ସମାଧାନ ହୋଇଛି । ସେହିପରି ଜିଲ୍ଲା ସ୍ତରରେ ଏପ୍ରିଲ ସୁଦ୍ଧା ୨ ଲକ୍ଷ ୩୯ ହଜାର ୯୩୩ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ୨ ଲକ୍ଷ ୨୧ ହଜାର ୨୪୦ ଅର୍ଥାତ ୯୨ ପ୍ରତିଶତ ସମାଧାନ ହୋଇଛି ।
ଏହି ଅଭିଯୋଗ ଶୁଣାଣି ଦ୍ୱାରା ସରକାରଙ୍କ ଉପରେ ଲୋକଙ୍କ ଭରସା ବଢ଼ିଛି । ଏଭଳି ଅଭିଯୋଗ ଶୁଣାଣି ଜାରି ରହିବ । ଗତ ବର୍ଷର ସମ୍ବଲପୁର ଭଳି ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ ବୋଲି କହିଛନ୍ତି । ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣି ସମାଧାନ କରିବେ । ଫଳରେ ଲୋକଙ୍କୁ ଆଉ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।