କୋଣାର୍କ ନବଗ୍ରହ ପୀଠକୁ ନେଇ ପୁଣିଥରେ ତେଜିଛି ବିବାଦ। ଏଏସଆଇ (ASI) ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ମନ୍ଦିର ସେବାୟତ ସଂଘ। ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନବଗ୍ରହ ପୀଠ ପରିସରରୁ ଭୋଗ ଦୋକାନୀମାନଙ୍କର ୧୫ରୁ ଅଧିକ ଖଟ ରହସ୍ୟଜନକ ଭାବେ ଉଠାଇ ନିଆଯାଇଛି। ଏହି ଘଟଣା ପଛରେ ASIର ଭୂମିକା ଥିବା ନେଇ ସେବାୟତ ସଂଘ ସନ୍ଦେହ ପ୍ରକାଶ କରି କୋଣାର୍କ ଥାନାରେ ଲିଖିତ ଏତଲା ଦାଖଲ କରିଛି।
ଏଠାରେ କହିରଖୁଛୁ, ଗତ ସପ୍ତାହରେ ମଧ୍ୟ ନବଗ୍ରହ ପୀଠ ପରିସରରେ ଥିବା ଭୋଗ ଦୋକାନ, ଯଜ୍ଞ କୁଣ୍ଡ ଓ ପାନୀୟ ଜଳ ଟାଙ୍କି ହଟାଇବାକୁ ASI ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକ ଏବଂ ସେବାୟତଙ୍କ ତୀବ୍ର ବିରୋଧ ଯୋଗୁଁ ସେହି ପ୍ରୟାସ ସଫଳ ହୋଇନଥିଲା। ଏହା ପରେ ପରିସ୍ଥିତି ଆହୁରି ଉତ୍ତେଜନା ହୋଇଥିଲା।
ସେବାୟତ ସଂଘର ଅଭିଯୋଗ ଅନୁଯାୟୀ, ଗତ ଦୁଇ ଦିନ ଧରି ନବଗ୍ରହ ପୀଠର ପ୍ରସ୍ଥାନ ଦ୍ୱାରର ମୁଖ୍ୟ ଫାଟକରେ ତାଲା ଝୁଲାଇ ଦିଆଯାଇଛି। ଏହା ଭକ୍ତମାନଙ୍କ ଧାର୍ମିକ ଭାବାବେଗ ଓ ଆସ୍ଥା ଉପରେ ଆଘାତ ବୋଲି ସେମାନେ କହିଛନ୍ତି। ଏଭଳି ପରିସ୍ଥିତି ମଧ୍ୟରେ ରାତି ଅଧିଆରେ ଖଟ ନେଇଯିବା ଘଟଣା ଲୋକଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛି।
ଘଟଣା ପ୍ରକାଶ ପାଇବା ପରେ ସ୍ଥାନୀୟ NAC ଅଧ୍ୟକ୍ଷା, ଉପାଧ୍ୟକ୍ଷ, ବିଭିନ୍ନ ୱାର୍ଡର କାଉନସିଲର ଏବଂ ବାମପନ୍ଥୀ ନେତା ମନୋରଞ୍ଜନ ପରିଡାଙ୍କ ସମେତ ଅନେକ ସ୍ଥାନୀୟ ପ୍ରତିନିଧି ପୀଠ ପରିସରରେ ପହଞ୍ଚି ପ୍ରତିବାଦ ଜଣାଇଛନ୍ତି।
ତେବେ ଏହି ଅଭିଯୋଗକୁ ନେଇ ASI ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଫଳରେ ନବଗ୍ରହ ପୀଠକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଏହି ବିବାଦ ଆଗାମୀ ଦିନରେ ଆହୁରି ତୀବ୍ର ରୂପ ନେଇପାରେ ବୋଲି ସ୍ଥାନୀୟ ମହଳରେ ଚର୍ଚ୍ଚା ଜୋର ଧରିଛି।