କୋଲକାତା: ମମତା ବାନାର୍ଜୀଙ୍କ ଦଳର ଶୋଚନୀୟ ପରାଜୟ ପରେ ଦଳ ଏବେ ସଙ୍କଟ ଦେଇ ଗତି କରୁଛି । ତୃଣମୂଳ କଂଗ୍ରେସ ବର୍ତ୍ତମାନ ସବୁଠାରୁ ଗମ୍ଭୀର ଆଭ୍ୟନ୍ତରୀଣ ସଙ୍କଟର ସମ୍ମୁଖୀନ ହେଉଛି। ଦଳ ଭିତରେ ଦେଖା ଦେଇଥିବା ଏହି ବିବାଦକୁ "ସାଇନଗେଟ୍" ନାମରେ ନାମିତ କରାଯାଇଛି । କାରଣ ପଶ୍ଚିମବଙ୍ଗ ବିଧାନସଭାରେ ଦାଖଲ ହୋଇଥିବା କିଛି ସରକାରୀ ଦଲିଲରେ ଅନେକ ଟିଏମସି ବିଧାୟକଙ୍କ ଜାଲ ଦସ୍ତଖତ ଥିବା ଅଭିଯୋଗ ହୋଇଛି । ଆଉ ଏହାକୁ ଟିଏମସିର ନେତାମାନେ ପଦାକୁ ଆଣିଛନ୍ତି । ଏହା ଏକ ବଡ଼ ଦସ୍ତଖତ ଘୋଟାଲା ବୋଲି କୁହାଯାଉଛି । ସିଆଇଡି ଟିମ୍ ଏହାର ତଦନ୍ତ ଆରମ୍ଭ କରିଛି ।
'ସାଇନଗେଟ୍' ବିବାଦ କ'ଣ?
ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପରେ ବିଧାନସଭାରେ ବିରୋଧୀ ଦଳ ନେତା ଏବଂ ଦଳର ମୁଖ୍ୟ ସଚେତକଙ୍କ ନିଯୁକ୍ତି ପାଇଁ ବିବାଦ ସୃଷ୍ଟି ହୋଇଛି । ବିରୋଧୀ ଦଳ ନେତା ପଦ ପାଇଁ ବରିଷ୍ଠ ଟିଏମସି ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ଚୟନ କରାଯାଇଛି । ଶୋଭନଦେବଙ୍କ ସମର୍ଥନରେ ବିଧାନସଭାରେ ଟିଏମସି ପକ୍ଷରୁ ଯେଉଁ ଦସ୍ତାବିଜ ଦାଖଲ କରାଯାଇଛି ସେଥିରେ ଅନେକ ଟିଏମସି ବିଧାୟକଙ୍କ ଦସ୍ତଖତ ନକଲି କିମ୍ବା ବିଧାୟକଙ୍କ ବିନା ସମ୍ମତିରେ କରାଯାଇଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗକୁ ଟିଏମସି ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହା ଆଗକୁ ଆଣିଛନ୍ତି ।
ବିଧାୟକଙ୍କ ଅଭିଯୋଗ ପରେ ବିଧାନସଭା ସଚିବ ଏହି ମାମଲାରେ ଏକ ଏଫ୍ଆଇଆର୍ ଦାୟର କରିଛନ୍ତି। ଏହା ପରେ, ପଶ୍ଚିମବଙ୍ଗ ଅପରାଧ ତଦନ୍ତ ବିଭାଗ (ସିଆଇଡି) ଏହି ମାମଲାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଛି । ତଦନ୍ତକାରୀ ଦଳ ଦସ୍ତାବିଜରେ ଯେଉଁ ବିଧାୟକଙ୍କ ନାମ ରହିଛି ସେମାନଙ୍କୁ ଜେରା କରି ବୟାନ ରେକର୍ଡ କରିବା ସହିତ ସେମାନଙ୍କ ଅସଲି ଦସ୍ତଖତ ନମୁନା ସଂଗ୍ରହ କରୁଛନ୍ତି । ପୂର୍ବରୁ ଅନେକ ଟିଏମସି ବିଧାୟକଙ୍କ ବୟାନ ରେକର୍ଡ କରାଯାଇଛି । ଖାଲି ସେତିକି ନୁହେଁ ଏହି ମାମଲାରେ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ସିଆଇଡି ସମନ କରିଛି ।
ତେବେ ଟିଏମସି ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଉଭୟଙ୍କୁ ଦଳରୁ ବହିଷ୍କାର କରାଯାଇଛି ।