ନୂଆଦିଲ୍ଲୀ: ତାମିଲନାଡ଼ୁ ରାଜନୀତିରେ ବଡ଼ ହଇଚଇ ସୃଷ୍ଟି ହୋଇଛି । ପୂର୍ବତନ ତାମିଲନାଡ଼ୁ ବିଜେପି ରାଜ୍ୟ ସଭାପତି କେ. ଆନ୍ନାମଲାଈ ଦଳରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଆନ୍ନାମଲାଈ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟି ପାଞ୍ଚ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି ।
ଆନ୍ନାମଲାଈ ନିତିନ ନବୀନ ଏବଂ ସଙ୍ଗଠନ ମହାସଚିବ ବିଏଲ୍ ସନ୍ତୋଷଙ୍କୁ ଦିଲ୍ଲୀରେ ଭେଟିଥିଲେ । ସେ ସୌହାର୍ଦପୂର୍ଣ୍ଣ ବାତାବରଣରେ ଦଳ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ । ନିଜେ ନିଜ ରାସ୍ତା ବାଛିବେ ବୋଲି ଆନ୍ନାମଲାଈ ଆଲୋଚନା ବେଳେ କହିଛନ୍ତି । ଅର୍ଥାତ ସେ ନିଜ ଦଳ ଗଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସୂତ୍ର ଅନୁସାରେ, ଦଳ ଆନ୍ନାମଲାଈଙ୍କୁ ଅଟକାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଥିଲା । ଏମିତିକି ତାଙ୍କୁ ଜାତୀୟ ସ୍ତରରେ ଦାୟିତ୍ୱ ଦେବାକୁ ମଧ୍ୟ କୁହାଯାଇଥିଲା । ସେଥିପାଇଁ ତାଙ୍କୁ ଦିଲ୍ଲୀ ନ ଛାଡ଼ିବାକୁ କୁହାଯାଇଥିଲା । ମାତ୍ର ସେ ନିଜ ଜିଦରେ ଅଟଳ ରହି ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ଚେନ୍ନାଇ ଗସ୍ତ କରିଛନ୍ତି ।
ଆନ୍ନାମଲାଈ ୨୦୨୦ରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ତାମିଲନାଡ଼ୁରେ ସର୍ବ କନିଷ୍ଠ ଅଧ୍ୟକ୍ଷ ହୋଇଥିଲେ । ଆନ୍ନାମଲାଈ ଗତ କିଛି ମାସ ହେବ ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ । ୨୦୨୫ରେ ନୈନାର ନାଗେନ୍ଦନଙ୍କୁ ତାମିଲନାଡ଼ୁ ବିଜେପି ସଭାପତି ଅଧ୍ୟକ୍ଷ କରାଯିବା ପରଠାରୁ ବିବାଦ ଆରମ୍ଭ ହୋଇଥିଲା । ଏହା ପରେ ଏମଜିଆର୍ ଏବଂ ଜୟ ଲଳିତାଙ୍କ ଉପରେ ଦିଆଯାଇଥିବା ଆକ୍ରମଣାତ୍ମକ ବୟାନ ପାଇଁ ଏଆଇଏଡିଏମକେ ମେଣ୍ଟ ସହିତ ବିବାଦ ବଢ଼ିଥିଲା । ବିଭିନ୍ନ ସ୍ଥାନରେ ତାଙ୍କର ପୋଷ୍ଟର ଲଗାଯାଇ ଅଲଗା ଅବତାର ନେଇ ତାମିଲନାଡ଼ୁ ବଞ୍ଚାଇବାକୁ ଆହ୍ୱାନ କରାଯାଇଥିଲା ।