ନୂଆଦିଲ୍ଲୀ: କ୍ରିକେଟରେ ଦ୍ଵିପାକ୍ଷିକ ସିରିଜ୍ ଦୁଇ ଦଳ ମଧ୍ୟରେ ଖେଳାଯାଏ। ଏଥିରେ ଜଣେ ଆୟୋଜକ ତ ଅନ୍ୟ ଟିମ୍ ଭ୍ରମଣକାରୀ ଦଳ ହୋଇଥାଏ। ଭ୍ରମଣକାରୀ ଦଳକୁ ସିରିଜ୍ ଖେଳିବା ପାଇଁ ଆୟୋଜକ ଦେଶକୁ ଗସ୍ତ କରିବାକୁ ପଡ଼ିଥାଏ। ମାତ୍ର ଆଫଗାନିସ୍ତାନ ଏକ ଭିନ୍ନ ଆୟୋକ ହେବାକୁ ଯାଉଛି, ଆଉ ଭାରତ ନିଜ ଦେଶରେ ଅତିଥି ଦଳ ହେବ। ଦୁଇ ଦଳ ମଧ୍ୟରେ ୨୦୨୬ ସେପ୍ଟେମ୍ବରରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବାର ସମ୍ଭାବନା ଅଛି। ସିରିଜର ସମସ୍ତ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଖେଳାଯିବ।
ଆଫଗାନିସ୍ତାନ ନିଜ କ୍ରିକେଟ୍ ଇତିହାସରେ ପ୍ରଥମ ଥର ଭାରତକୁ ନେଇ ସିରିଜ୍ ଆୟୋଜନ କରିବ। ରିପୋର୍ଟ ମୁତାବକ, ସିରିଜ୍ ବିଷୟରେ ଶୀଘ୍ର ଆନୁଷ୍ଠାନିକ ଘୋଷଣା କରାଯାଇପାରେ। ଆଫଗାନିସ୍ତାନରେ ସୁରକ୍ଷା କାରଣରୁ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ହେଉ ନାହିଁ। ଏମିତିରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ(ଏସିବି) ନିଜ ଘରୋଇ ମ୍ୟାଚ୍ ବିଦେଶୀ ମଇଦାନରେ ଆୟୋଜନ କରି ଆସିଛି।
ଏସିବି ଓ ଡିଡିସିଏ ମଧ୍ୟରେ ଆଲୋଚନା
ଟାଇମ୍ସ ଅଫ ଇଣ୍ଡିଆର ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ବିସିସିଆଇ ଓ ଏସିବି ମଧ୍ୟରେ ଭଲ ସଂପର୍କ ରହିଛି। ବିସିସିଆଇ ଆୟରଲାଣ୍ଡ, ଶ୍ରୀଲଙ୍କା ଓ ଜିମ୍ବାଓ୍ଵେ ପରି ବୋର୍ଡର ସହାୟତା କରି ଆସୁଛି। ଭାରତୀୟ ଟିମ୍ ଉକ୍ତ ଦେଶକୁ ସିରିଜ୍ ଖେଳିବାକୁ ଯାଇଥାଏ, ଯଦ୍ଵାରା ସେହି ବୋର୍ଡର ଆୟ ବୃଦ୍ଧି ଘଟିବ ଏବଂ ଆର୍ଥିକ ସ୍ଵଚ୍ଛଳ ବଢିବ। ବିସିସିଆଇ ଓ ଆଫଗାନିସ୍ତାନ ମଧ୍ୟରେ ସହମତି ପ୍ରକାଶ ପାଇ ସାରିଛି। କେବଳ କିଛି ଆନୁଷ୍ଠାନିକ ଔପଚାରିକତା ବାକି ରହିଛି। ଏପରିକି ଏସିବି ଓ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ(ଡିଡିସିଏ) ମଧ୍ୟରେ ବି ଆଲୋଚନା ହୋଇଛି। ଡିଡିସିଏ ନିଜର ଷ୍ଟାଡିୟମ ଉପଲବ୍ଧ କରାଇବାକୁ ମଧ୍ୟ ପ୍ରସ୍ତୁତ। ଡିଡିସିଏ ସିରିଜକୁ ଦୃଷ୍ଟିରେ ରଖି ନିଜର ଦିଲ୍ଲୀ ପ୍ରିମିୟର ଲିଗକୁ ସେହି ହିସାବରେ ସିଡ୍ୟୁଲ କରୁଛି।
ଏହି ତାରିଖରେ ଖେଳାଯାଇପାରେ ମୁକାବିଲା
ଆଫଗାନିସ୍ତାନ ଓ ଭାରତୀୟ ଦଳ ମଧ୍ୟରେ ଦିଲ୍ଲୀରେ ସେପ୍ଟେମ୍ବର ୧୩, ୧୬ ଓ ୧୯ରେ ମ୍ୟାଚ୍ ଖେଳା ଯାଇପାରେ। ଏହି ସିରିଜ୍ ଏସୀୟ କ୍ରୀଡ଼ା ପ୍ରସ୍ତୁତି ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ରହିପାରେ। ଜାପାନରେ ଏସୀୟ କ୍ରୀଡ଼ା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। କ୍ରିକେଟ୍ ମ୍ୟାଚ୍ ସେପ୍ଟେମ୍ବର ୨୩ରୁ ଖେଳାଯିବ। ଉଲ୍ଲେଖନୀୟ ଆଫଗାନିସ୍ତାନ ଗତ ଦଶନ୍ଧିଠୁ ଭାରତ ଓ ୟୁଏଇରେ ନିଜର ଘରୋଇ ମ୍ୟାଚ୍ ଖେଳୁଛି। ଏହା ପୂର୍ବରୁ ଆଫଗାନିସ୍ତାନ ୨୦୧୭ରେ ଗ୍ରେଟର ନୋଏଡାରେ ଆୟରଲାଣ୍ଡ ସିରିଜର ଆୟୋଜନ କରିଥିଲା। ୨୦୧୮ରେ ଡେରାଡୁନରେ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ୍ ଖେଳିଥିଲା।