ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଚଳିତ ସିଜିନ୍ରେ ଚାମ୍ପିଅନ୍ ହେବାର ଖୁସି ମନାଉଥିବା ବେଳେ ଦଳର ଜଣେ ପ୍ରମୁଖ ଖେଳାଳିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆରସିବିର ଷ୍ଟାର୍ ବ୍ୟାଟର ଟିମ୍ ଡେଭିଡ୍ଙ୍କ ଉପରେ ଗୋଟିଏ ମ୍ୟାଚ୍ର ବାସନ୍ଦାଦେଶ ଜାରି କରାଯାଇଛି। ଫାଇନାଲ୍ ମ୍ୟାଚ୍ ମଧ୍ୟରେ ଅମ୍ପାୟରଙ୍କ ଉପରକୁ ଆଇସ୍ ବ୍ୟାଗ୍ (Ice Bag) ଫିଙ୍ଗିବା ଅଭିଯୋଗରେ ଆଇପିଏଲ୍ କମିଟି ତାଙ୍କ ବିରୋଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଅହମ୍ମଦାବାଦରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ହାଇଭୋଲଟେଜ ଫାଇନାଲ୍ ମ୍ୟାଚ୍ ସମୟରେ ଏହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁଜରାଟ ଇନିଂସର ୧୦ମ ଓଭରରେ ଏକ ଓ୍ଵିକେଟ୍ ପତନ ପରେ ଉତ୍ସାହିତ ହୋଇ ଟିମ୍ ଡେଭିଡ୍ ଆକ୍ରମଣାତ୍ମକ ଶୈଳୀରେ ଅମ୍ପାୟର ନୀତିନ ମେନନଙ୍କ ଆଡ଼କୁ ଆଇସ୍ ବ୍ୟାଗ୍ ଫିଙ୍ଗିଥିଲେ।
ଜରିମାନା ସହ ମିଳିଲା ଡିମେରିଟ୍ ପଏଣ୍ଟ
ଏହି ଘଟଣାକୁ ନେଇ ସୋମବାର ଆଇପିଏଲ୍ ପକ୍ଷରୁ ଏକ ଆନୁଷ୍ଠାନିକ ବିବୃତ୍ତି ଜାରି କରାଯାଇଛି। ଟିମ୍ ଡେଭିଡଙ୍କୁ ଆଇପିଏଲ୍ ଆଚରଣ ବିଧିର ଆର୍ଟିକିଲ୍ ୨.୯ (ଲେଭଲ୍-୧ ଅପରାଧ)ର ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ନିୟମ ଅନୁସାରେ ମଇଦାନରେ କୌଣସି ଖେଳାଳି କିମ୍ବା ଅମ୍ପାୟରଙ୍କ ଆଡ଼କୁ ବିପଜ୍ଜନକ ଭାବେ କିଛି ଫିଙ୍ଗିବା ବେଆଇନ। ଏଥିପାଇଁ ଡେଭିଡ୍ଙ୍କ ଉପରେ ଫାଇନାଲ୍ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜରିମାନା କରାଯିବା ସହ ୨ଟି ଡିମେରିଟ୍ ପଏଣ୍ଟ ମଧ୍ୟ ଦିଆଯାଇଛି। ଟିମ୍ ଡେଭିଡ୍ ନିଜର ଏହି ଭୁଲ୍ ସ୍ୱୀକାର କରିଛନ୍ତି।
୫ ଡିମେରିଟ୍ ପଏଣ୍ଟ ଯୋଗୁଁ ଲାଗିଲା ବ୍ୟାନ୍
ମ୍ୟାଚ୍ ରେଫରି ସିଧାସଳଖ ଭାବେ ତାଙ୍କ ଉପରେ କୌଣସି ବ୍ୟାନ୍ ଲଗାଇ ନାହାନ୍ତି, କିନ୍ତୁ ଆଇପିଏଲ୍ ୨୦୨୬ ସିଜିନ୍ରେ ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ଲେଭଲ୍-୧ ଅପରାଧ କରିଛନ୍ତି। ଏହା ପୂର୍ବରୁ ଅନ୍ୟ ଦୁଇଟି ମ୍ୟାଚ୍ରେ ତାଙ୍କୁ ୩ଟି ଡିମେରିଟ୍ ପଏଣ୍ଟ ମିଳିସାରିଥିଲା। ଫାଇନାଲ୍ ମ୍ୟାଚ୍ର ପଏଣ୍ଟକୁ ମିଶାଇ ଚଳିତ ସିଜିନ୍ରେ ତାଙ୍କର ସମୁଦାୟ ଡିମେରିଟ୍ ପଏଣ୍ଟ ସଂଖ୍ୟା ୫ରେ ପହଞ୍ଚିଛି। ଆଇପିଏଲ୍ ନିୟମ ଅନୁଯାୟୀ, ୫ ଡିମେରିଟ୍ ପଏଣ୍ଟ ପୂରଣ ହେଲେ ଖେଳାଳିଙ୍କ ଉପରେ ସ୍ୱତଃପ୍ରବୃତ୍ତ ଭାବେ ଗୋଟିଏ ମ୍ୟାଚ୍ର ବ୍ୟାନ୍ ଲାଗିଥାଏ।
ଆଗାମୀ ସିଜିନ୍ର ପ୍ରଥମ ମ୍ୟାଚ୍ରୁ ବାଦ୍
ଏହି ନିଷେଧାଦେଶ କାରଣରୁ ଟିମ୍ ଡେଭିଡ୍ ଆଗାମୀ ଆଇପିଏଲ୍ ୨୦୨୭ର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ। ସେ ଆରସିବି ପକ୍ଷରୁ ଖେଳନ୍ତୁ କିମ୍ବା ଅନ୍ୟ କୌଣସି ଦଳ ତରଫରୁ, ତାଙ୍କୁ ଓପନିଂ ମ୍ୟାଚ୍ରୁ ବାହାରେ ବସିବାକୁ ହେବ। ସୂଚନାଯୋଗ୍ୟ ଯେ, ଆଇପିଏଲ୍ ୨୦୨୬ରେ ଆରସିବି ପାଇଁ ଟିମ୍ ଡେଭିଡ୍ ଶାନଦାର ପ୍ରଦର୍ଶନ କରି ୧୬ଟି ମ୍ୟାଚ୍ରୁ ୩୦୫ ରନ୍ ସଂଗ୍ରହ କରିଥିଲେ।