ନୂଆଦିଲ୍ଲୀ: ଲେବାନନ୍ ଉପରେ ଇସ୍ରାଏଲର କ୍ରମାଗତ ବୋମାବର୍ଷଣକୁ ନେଇ ପଶ୍ଚିମ ଏସିଆରେ ବଢ଼ିବାରେ ଲାଗିଛି ଉତ୍ତେଜନା। ଏହାର ପ୍ରତିବାଦରେ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛି ଇରାନ। ଆମେରିକା ସହିତ ମଧ୍ୟସ୍ଥିମାନଙ୍କ ଜରିଆରେ ଚାଲିଥିବା ପରୋକ୍ଷ ଆଲୋଚନା ଏବଂ ବାର୍ତ୍ତା ବିନିମୟକୁ ଇରାନ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖିଛି। ଇରାନର ସରକାରୀ ସମ୍ବାଦ ସରବରାହ ସଂସ୍ଥା 'ତସନିମ୍' ସୋମବାର ଏହି ସୂଚନା ଦେଇଛି।
ରିପୋର୍ଟ ଅନୁଯାୟୀ, ଲେବାନନ୍ରେ ଇସ୍ରାଏଲ୍ ସୁରକ୍ଷା ବାହିନୀ ଦ୍ଵାରା କ୍ରମାଗତ ଭାବେ ହେଉଥିବା ଅସ୍ତ୍ରବିରତି ଉଲ୍ଲଂଘନର ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଲେବାନନ୍ ଏବଂ ଗାଜାରେ ସମ୍ପୂର୍ଣ୍ଣ ଯୁଦ୍ଧବିରତିକୁ ଇରାନ ଏକ ଅପରିହାର୍ଯ୍ୟ ସର୍ତ୍ତ ବୋଲି ଦର୍ଶାଇଛି।
ଦାବି ପୂରଣ ନହେବା ଯାଏଁ ଆଲୋଚନା ନାହିଁ
ଇରାନୀ ସଂସ୍ଥାର କହିବା କଥା ଯେ, ଗାଜା ଏବଂ ଲେବାନନ୍କୁ ନେଇ ଇରାନ ରଖିଥିବା ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ତାଙ୍କର ବାର୍ତ୍ତାଳାପକାରୀ ଦଳ ଆମେରିକା ସହ କୌଣସି ପ୍ରକାର ସମ୍ପର୍କ ରଖିବେ ନାହିଁ। ଗାଜା ଓ ଲେବାନନ୍ରେ ଇସ୍ରାଏଲ୍ ପକ୍ଷରୁ ଚାଲିଥିବା ସାମରିକ ଅଭିଯାନକୁ ସଙ୍ଗେ ସଙ୍ଗେ ବନ୍ଦ କରାଯାଉ ଏବଂ ଲେବାନନ୍ର ଅଧିକୃତ ଅଞ୍ଚଳରୁ ଇସ୍ରାଏଲୀ ସେନା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରନ୍ତୁ ବୋଲି ଇରାନ ପ୍ରତିନିଧିମାନେ ଦୃଢ଼ ଦାବି କରିଛନ୍ତି। ଯେ ପର୍ଯ୍ୟନ୍ତ ଇରାନ ଏବଂ ତାର ସହଯୋଗୀ ପ୍ରତିରୋଧ ମେଣ୍ଟର ଆଭିମୁଖ୍ୟକୁ ଗ୍ରହଣ କରାନଯାଇଛି, ସେପର୍ଯ୍ୟନ୍ତ କୌଣସି ଆଲୋଚନା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି।
ସମୁଦ୍ର ପଥ ବନ୍ଦ କରିବାକୁ ଯୋଜନା
ଇରାନ ଏବଂ ତା’ର ସହଯୋଗୀ ସଂଗଠନ 'ଏକ୍ସିସ୍ ଅଫ୍ ରେଜିଷ୍ଟାନ୍ସ' ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଇସ୍ରାଏଲର ଆକ୍ରମଣର କଡ଼ା ଜବାବ ଦେବା ପାଇଁ ଆହୁରି କେତେକ ନୂଆ ସାମ୍ମୁଖ୍ୟ ଖୋଲିବାକୁ ଏହି ବୈଠକରେ ବିଚାର କରାଯାଇଛି। ଇସ୍ରାଏଲ ଏବଂ ତାକୁ ସମର୍ଥନ କରୁଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଚାପ ପକାଇବା ପାଇଁ ଆନ୍ତର୍ଜାତୀୟ ବାଣିଜ୍ୟର ପ୍ରମୁଖ ସମୁଦ୍ର ପଥ 'ହୋର୍ମୁଜ୍ ପ୍ରଣାଳୀ' କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ 'ବାବ୍ ଅଲ୍-ମନ୍ଦେବ୍' ଜଳଡମରୁମଧ୍ୟକୁ ସକ୍ରିୟ କରିବା ଭଳି କଠୋର ପଦକ୍ଷେପ ଉପରେ ଏବେ ରଣନୀତି ପ୍ରସ୍ତୁତ ହେଉଛି।
ଆମେରିକା ଓ ଇସ୍ରାଏଲ୍ ଭୋଗିବେ ପରିଣାମ
ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି ଇସ୍ରାଏଲର ସାମରିକ କାର୍ଯ୍ୟକଳାପ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, "କୌଣସି ଗୋଟିଏ ସାମ୍ମୁଖ୍ୟରେ ଯଦି ନିୟମ ଉଲ୍ଲଂଘନ କରାଯାଏ, ତେବେ ତାହାକୁ ସମସ୍ତ ସାମ୍ମୁଖ୍ୟରେ ଅସ୍ତ୍ରବିରତିର ଉଲ୍ଲଂଘନ ବୋଲି ଧରାଯିବ। ଏହି କାରଣରୁ ଯଦି କିଛି ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ, ତେବେ ସେଥିପାଇଁ ଆମେରିକା ଏବଂ ଇସ୍ରାଏଲ୍ ସମ୍ପୂର୍ଣ୍ଣ ଦାୟୀ ରହିବେ।