ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍କୁ ଆହୁରି ରୋମାଞ୍ଚକର କରିବା ଏବଂ ସମୟ ବଞ୍ଚାଇବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ନିୟମରେ ଏକ ବଡ଼ ସଂଶୋଧନ କରିଛି। ପ୍ରାୟତଃ ଟେଷ୍ଟ ମ୍ୟାଚ୍ରେ ଖରାପ ଆଲୋକ ଯୋଗୁଁ ଦିନର ଖେଳକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରିବାକୁ ପଡ଼ିଥାଏ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇସିସି ଏବେ ଖରାପ ଆଲୋକ ସମୟରେ 'ପିଙ୍କ୍ ବଲ୍' ବା ଗୋଲାପୀ ରଙ୍ଗର ବଲ୍ ବ୍ୟବହାର କରିବାକୁ ଅନୁମତି ଦେଇଛି। ତେବେ ବର୍ତ୍ତମାନ ଏହାକୁ କେବଳ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି।
ଗତ ମେ’ ୩୧ ଅହମ୍ମଦାବାଦଠାରେ ଆଇସିସି ବୋର୍ଡର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ହିଁ ପିଙ୍କ୍ ବଲ୍ ବ୍ୟବହାର ନେଇ ସହମତି ପ୍ରକାଶ ପାଇଛି। ଏହି ନୂଆ ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟେଷ୍ଟ ମ୍ୟାଚ୍ରେ ଓଭର ସଂଖ୍ୟାକୁ ସନ୍ତୁଳିତ ରଖିବା। ସାଧାରଣତଃ ଆଲୋକ ଅଭାବରୁ ଖେଳ ଶୀଘ୍ର ଶେଷ ହେଲେ ଓଭର ସଂଖ୍ୟା କମିଯାଏ, ଯାହାଦ୍ଵାରା ମ୍ୟାଚ୍ର ଫଳାଫଳ ପ୍ରଭାବିତ ହୋଇଥାଏ। ତେବେ ଖରାପ ଆଲୋକ ସମୟରେ ପିଙ୍କ୍ ବଲ୍ର ବ୍ୟବହାର ସେତେବେଳେ ହୋଇପାରିବ, ଯେତେବେଳେ ଉଭୟ ପ୍ରତିଦ୍ଵନ୍ଦ୍ଵୀ ଦଳ ଏଥିପାଇଁ ରାଜି ହେବେ।
ସୂଚନାଯୋଗ୍ୟ ଯେ, କ୍ରିକେଟ ଇତିହାସରେ ପ୍ରଥମ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ୨୦୧୫ ମସିହାରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ଐତିହାସିକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୩ ଉଇକେଟ୍ରେ ବିଜୟୀ ହୋଇଥିଲା।
ଏଣିକି ପଡ଼ିଆକୁ ଆସିବେ କୋଚ୍
ପିଙ୍କ୍ ବଲ୍ ବ୍ୟତୀତ ଆଇସିସି ଅନ୍ୟ ଏକ ବଡ଼ ନିୟମ ମଧ୍ୟ ବଦଳାଇଛି। ଏବେ ଟେଷ୍ଟ ମ୍ୟାଚ୍ରେ ଡ୍ରିଙ୍କସ୍ ବ୍ରେକ୍ ସମୟରେ ଦଳର କୋଚ୍ ମାନେ ପଡ଼ିଆ ଭିତରକୁ ଆସି ପାରିବେ ଏବଂ ଖେଳାଳିମାନଙ୍କ ସହ ରଣନୀତି ବିଷୟରେ ସିଧାସଳଖ ଆଲୋଚନା କରିପାରିବେ।
ହକ୍-ଆଇ ଡାଟାରୁ ଧରାପଡ଼ିବ ସନ୍ଦିଗ୍ଧ ବୋଲିଂ ଆକ୍ସନ୍
ବୋଲରମାନଙ୍କ ସନ୍ଦିଗ୍ଧ ବୋଲିଂ ଆକ୍ସନକୁ ରୋକିବା ପାଇଁ ଆଇସିସି ଆଉ ଏକ ପ୍ରଯୁକ୍ତିବିଦ୍ୟାର ସହାରା ନେଇଛି। ଏଣିକି ମ୍ୟାଚ୍ ଅଫିସିଆଲ୍ ବା ଅମ୍ପାୟାରମାନେ ବୋଲରଙ୍କ ଆକ୍ସନ୍ ଯାଞ୍ଚ କରିବା ପାଇଁ 'ହକ୍-ଆଇ' ଡାଟାର ସାହାଯ୍ୟ ନେଇପାରିବେ। ଏହି ନୂଆ ନିୟମ ଆସନ୍ତା ୨୦୨୬ ଅକ୍ଟୋବର ୧ରୁ ଆନ୍ତର୍ଜାତୀୟ କ୍ରିକେଟ୍ରେ ଲାଗୁ ହେବାକୁ ଯାଉଛି।