ନୂଆଦିଲ୍ଲୀ: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନ୍-ସ୍କ୍ରିନ୍-ମାର୍କିଂ ବା ଓଏସ୍ଏମ୍ ବିଭ୍ରାଟ ପରେ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମଙ୍ଗଳବାର ସରକାର ସିବିଏସଇ ଅଧ୍ୟକ୍ଷ ଏବଂ ସଚିବଙ୍କୁ ପଦରୁ ବହିଷ୍କୃତ କରିଛନ୍ତି । ସିବିଏସ୍ଇ ଅଧ୍ୟକ୍ଷ ରାହୁଲ ସିଂହ ଓ ସଚିବ ହିମାଂଶୁ ଗୁପ୍ତାଙ୍କ ବଦଳି କରାଯାଇଛି ।
ଏହା ସହିତ ସିବିଏସ୍ଇ ଓଏସ୍ଏମ୍ ମାମଲାର ଯାଞ୍ଚ ପାଇଁ ଏକ ଯାଞ୍ଚ କମିଟି ଗଠନ କରିଛି । ଶିକ୍ଷା ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛି। ତଦନ୍ତ ରିପୋର୍ଟ ଦାଖଲ ହେବା ପରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିବିଏସ୍ଇ ଏହାର ଅନଲାଇନ୍ ମୂଲ୍ୟାୟନ ପୋର୍ଟାଲରେ ସୁରକ୍ଷା ଦୁର୍ବଳତା ସ୍ୱୀକାର କରିବାର ଗୋଟିଏ ଦିନ ପରେ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି। ସିବିଏସ୍ଇ ସ୍ୱୀକାର କରିଛି ଯେ ଦ୍ୱାଦଶ ଶ୍ରେଣୀ ବୋର୍ଡ ଉତ୍ତର ପତ୍ରର ତଥ୍ୟ ସାର୍ବଜନୀନ ଡୋମେନରେ ଉପଲବ୍ଧ ହେବା ସମ୍ପର୍କରେ ଦାବି ପ୍ରକୃତରେ ସଠିକ୍ ଥିଲା।
ସେପଟେ ପୁନଃ ମୂଲ୍ୟାୟନ ପାଇଁ ଆଜି ପୋର୍ଟାଲ ଖୋଲିଛି । ପୋର୍ଟାଲ ଆଜିଠାରୁ ଆସନ୍ତା ଶନିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଖୋଲା ରହିବ । ଯେଉଁ ଛାତ୍ରମାନେ ତାଙ୍କର ସ୍କାନ କରାଯାଇଥିବା ଉତ୍ତର ପତ୍ର ପାଇଛନ୍ତି ସେହିମାନେ ହିଁ ଏହି ସୁବିଧାର ଲାଭ ଉଠାଇ ପାରିବେ । ଛାତ୍ରମାନେ ସିବିଏସ୍ଇ ଅଧିକୃତ ୱେବସାଇଟରେ ନିଜର ଆଧାର ନମ୍ବର ଦେଇ ଲଗ୍ ଇନ୍ କରି ଆବେଦନ କରିବେ । ଏହା ପରେ କୌଣସି ଅଫଲାଇନ୍ ଆବେଦନ ଗ୍ରହଣ କରାଯିବ ନାହିଁ ।
'କୋଏମ୍ପଟ୍ ଏଜୁକେଟ୍' କମ୍ପାନୀକୁ OSM ମୂଲ୍ୟାଙ୍କନ ପାଇଁ ଚୁକ୍ତି ପ୍ରଦାନ ସମ୍ପର୍କରେ ଏକ ବ୍ୟାପକ ରିପୋର୍ଟ ମଧ୍ୟ ତଲବ କରାଯାଇଛି। ଏହା ସହିତ ମୂଲ୍ୟାଙ୍କନ ସହିତ ଜଡିତ ଟେଣ୍ଡର ପ୍ରକ୍ରିୟା ଡକ୍ୟୁମେଣ୍ଟଗୁଡ଼ିକର ଯାଞ୍ଚ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏକ ଘରୋଇ ସଂସ୍ଥାକୁ ଚୁକ୍ତି ପ୍ରଦାନ ପାଇଁ ଚୟନ ପ୍ରକ୍ରିୟା, ପ୍ରୟୋଗ କରାଯାଇଥିବା ବୈଷୟିକ ଯୋଗ୍ୟତା ମାନଦଣ୍ଡ ଏବଂ କଥିତ ପ୍ରକ୍ରିୟାଗତ ତ୍ରୁଟି ସମ୍ପର୍କରେ ବଢ଼ୁଥିବା ଯାଞ୍ଚ ଏବଂ ବିରୋଧ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଚୁକ୍ତି ପ୍ରଦାନ ସମୟରେ କ୍ରୟ ମାନଦଣ୍ଡ ଏବଂ ଆର୍ଥିକ ନିୟମାବଳୀ କଡ଼ାକଡ଼ି ପାଳନ କରାଯାଇଥିଲା କି ନାହିଁ ତାହା ମନ୍ତ୍ରଣାଳୟ ତଦନ୍ତ କରୁଛି ।