ଅନୁଗୁଳ-ଢେଙ୍କାନାଳ ସୀମାନ୍ତରେ ଏକ ହାତୀ ମୃତ୍ୟୁ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳ ଅଧୀନ ରାଜମୋହନପୁର ନିକଟସ୍ଥ ଏକ ଫାର୍ମ ହାଉସ୍ ଭିତରୁ ମାଟି ତଳେ ପୋତାଯାଇଥିବା ଏକ ବଣୁଆ ହାତୀର ମୃତଦେହ ଉଦ୍ଧାର ହେବା ପରେ ବନ ବିଭାଗ କଡ଼ା ପଦକ୍ଷେପ ନେଇଛି।
ଘଟଣାରେ ଅବହେଳା ଅଭିଯୋଗରେ ସେକ୍ସନ ଫରେଷ୍ଟର ଦୀପ୍ତି ରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରେଞ୍ଜ ଅଫିସର ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ବନ ବିଭାଗ ଏହାକୁ ଗୁରୁତର ଭାବେ ନେଇଛି।
ସୂଚନା ଅନୁଯାୟୀ, ଫାର୍ମ ହାଉସ୍ ଚାରିପଟେ ଲଗାଯାଇଥିବା ସୋଲାର ଫେନ୍ସିଂ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତ୍ୟୁ ପରେ ଘଟଣାକୁ ଚାପି ଦେବା ପାଇଁ ଫାର୍ମ ହାଉସ୍ ମାଲିକ ପ୍ରମୋଦ କୁମାର ରାଜ ଓରଫ କୁବେର ହାତୀର ମୃତଦେହକୁ ଗୁପ୍ତ ଭାବେ ପୋତି ଦେଇଥିବା ଅଭିଯୋଗ ହୋଇଛି।
ତେବେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଠାରୁ ବନ ବିଭାଗ ସୂଚନା ପାଇବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା। ଢେଙ୍କାନାଳ ଡିଏଫଓ ଲଳିତ କୁମାର ପାତ୍ର ଓ ଅନୁଗୁଳ ଆରସିସିଏଫ୍ ସଞ୍ଜୟ ସ୍ୱାଇଁଙ୍କ ନେତୃତ୍ୱରେ ଟିମ୍ ଫାର୍ମ ହାଉସରେ ଚଢ଼ାଉ କରି ମାଟି ଖୋଳି ହାତୀର ମୃତଦେହ ଉଦ୍ଧାର କରିଥିଲେ।
ବନ ବିଭାଗ କହିଛି, ମୃତ ହାତୀଟି ୩୦ରୁ ୪୦ ବର୍ଷ ବୟସର ଏକ ପୁରୁଷ ‘ମଖନା’ ହାତୀ। ମୃତଦେହ ଉଦ୍ଧାର ପରେ ପଶୁ ଚିକିତ୍ସକ ଦଳ ପୋଷ୍ଟମର୍ଟମ କରିଛନ୍ତି। ରିପୋର୍ଟ ଆସିବା ପରେ ହାତୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଏହି ଘଟଣାରେ ଫାର୍ମ ହାଉସ୍ ମାଲିକ, ତତ୍ତ୍ୱାବଧାୟକ ଓ ମୃତଦେହ ପୋତିବାରେ ବ୍ୟବହୃତ ଜେସିବି ଚାଳକଙ୍କୁ ଗିରଫ କରାଯାଇଛି। ଜେସିବି ମେସିନକୁ ମଧ୍ୟ ଜବତ କରାଯାଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି।