ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ଚାଲୁଥିବା ପ୍ରସିଦ୍ଧ ୟୁଟ୍ୟୁବର ତଥା ଶିକ୍ଷକ ଖାନ ସାରଙ୍କ କୋଚିଂ ଇନଷ୍ଟିଚ୍ୟୁଟ୍ ‘ଖାନ ଗ୍ଲୋବାଲ ଷ୍ଟଡିଜ୍’ ଉପରେ ହୋଇଥିବା ଆକ୍ରମଣ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ହିଂସାକାଣ୍ଡ ପରେ ବିହାର ସରକାର ତପ୍ତରତା ପ୍ରକାଶ କରିବା ସହ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବେଆଇନ ଏବଂ ଅନିୟନ୍ତ୍ରିତ କୋଚିଂ ସେଣ୍ଟରଗୁଡ଼ିକୁ ଶୃଙ୍ଖଳିତ କରିବା ପାଇଁ ବିହାର ଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଏବଂ କଠୋର ‘କୋଚିଂ ନୀତି’ଆଣିବାକୁ ଘୋଷଣା କରାଯାଇଛି।
ସରକାରଙ୍କ ସୂଚନା ଅନୁଯାୟୀ, ଆସନ୍ତା ୩ ମାସ ମଧ୍ୟରେ ଏହି ନୂତନ କୋଚିଂ ପଲିସି ପ୍ରସ୍ତୁତ ହୋଇଯିବ। ଏହି ନୀତି ଆଧାରରେ ହିଁ ବିହାରର ସମସ୍ତ କୋଚିଂ ସଂସ୍ଥାନ ପରିଚାଳିତ ହେବେ। ନୂଆ ନିୟମ ଉଲ୍ଲଂଘନ କରୁଥିବା ସେଣ୍ଟରଗୁଡ଼ିକ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।
କାହିଁକି ହେଲା ଆକ୍ରମଣ ? ଖାନ ସାର୍ଙ୍କ ବଡ଼ ଅଭିଯୋଗ
ପାଟନାର ମୁସଲ୍ଲାପୁର ହାଟ ଅଞ୍ଚଳରେ ଥିବା ଖାନ ସାର୍ଙ୍କ କୋଚିଂ ସେଣ୍ଟର ବାହାରେ କିଛି ଦୁର୍ବୃତ୍ତ ପଥରମାଡ଼ ଏବଂ ଭଙ୍ଗାରୁଜା କରିବା ସହ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ସୁରକ୍ଷାକର୍ମୀ ଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇ ଖାନ ସାର୍ କହିଛନ୍ତି ଯେ, ନିକଟରେ ପ୍ରକାଶ ପାଇଥିବା ବିହାର ପୋଲିସ ନିଯୁକ୍ତି ପରୀକ୍ଷା ଫଳାଫଳରେ ତାଙ୍କ ସଂସ୍ଥାରୁ ହଜାର ହଜାର ପିଲା କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ଈର୍ଷାନ୍ୱିତ ହୋଇ ପଡ଼ୋଶୀ ଏକ କୋଚିଂ ସେଣ୍ଟରର କିଛି ଅସାମାଜିକ ବ୍ୟକ୍ତି ଏହି କାଣ୍ଡ ଭିଆଇଛନ୍ତି। ସେ କହିଛନ୍ତି ଆମେ ଏତେ କମ୍ ଫିରେ ଗରିବ ପିଲାମାନଙ୍କୁ କାହିଁକି ପଢ଼ାଉଛୁ ଏବଂ ଆମର ଏତେ ବଡ଼ ସଫଳତା କାହିଁକି ଆସୁଛି, ସେହି ବ୍ୟବସାୟିକ ଶତ୍ରୁତା ପାଇଁ ହିଁ ଏହି ଆକ୍ରମଣ କରାଯାଇଛି। ଗରିବ ପିଲାଙ୍କର ମଧ୍ୟ ପଢ଼ିବାର ଅଧିକାର ଅଛି।
ଆକ୍ସନରେ ପୋଲିସ ଏବଂ ସରକାର
ଏହି ମାମଲା ସାମ୍ନାକୁ ଆସିବା ପରେ ପାଟନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେଣ୍ଟରରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ପ୍ରାୟ ୧୦ ରୁ ୧୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଖାନ ସାର୍ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ପ୍ରଶାସନ ଉପରେ ସମ୍ପୂର୍ଣ୍ଣ ଭରସା ପ୍ରକଟ କରିବା ସହ ସେଣ୍ଟର ଓ ପିଲାମାନଙ୍କ ପାଇଁ ସୁରକ୍ଷା ଦାବି କରିଛନ୍ତି।
ନୂଆ କୋଚିଂ ପଲିସିରେ କଣ ରହିପାରେ ନିୟମ?
ବାରମ୍ବାର କୋଚିଂ ସେଣ୍ଟରଗୁଡ଼ିକ ମଧ୍ୟରେ ରହିଥିବା ବ୍ୟବସାୟିକ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆଣୁଥିବା ନୂଆ ନୀତିରେ କିଛି ପ୍ରମୁଖ ନିୟମ ରହିପାରେ।
ବାଧ୍ୟତାମୂଳକ ପଞ୍ଜୀକରଣ: ସମସ୍ତ ଛୋଟବଡ଼ କୋଚିଂ ସେଣ୍ଟରକୁ ଶିକ୍ଷା ବିଭାଗ ଅଧୀନରେ ପଞ୍ଜୀକୃତ ହେବାକୁ ପଡ଼ିବ।
ସୁରକ୍ଷା ବ୍ୟବସ୍ଥା: ପ୍ରତ୍ୟେକ ସେଣ୍ଟରରେ ସିସିଟିଭି ଏବଂ ସୁରକ୍ଷାକର୍ମୀ ରଖିବା ବାଧ୍ୟତାମୂଳକ କରାଯିବ।
ମନମୁଖୀ ଫି’ ଉପରେ ରୋକ୍: କୋଚିଂ ସେଣ୍ଟରଗୁଡ଼ିକ ପିଲାମାନଙ୍କଠାରୁ ଅହେତୁକ ଅର୍ଥ ଆଦାୟ କରିପାରିବେ ନାହିଁ, ଏଥିପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ ହେବ।
ଆଇନ ଉଲ୍ଲଂଘନରେ ଜରିମାନା: ନିୟମ ଖିଲାପ କଲେ କୋଚିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହେବା ସହ ବଡ଼ ଅଙ୍କର ଜରିମାନା କରାଯିବ।