ପୁରୀ:ଓଡ଼ିଶାର ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ଆଜି (ଜୁନ୍ ୩) ଠାରୁ ବହୁପ୍ରତୀକ୍ଷିତ ବ୍ରିକ୍ସ ରିଡକ୍ସନ ୱାର୍କିଙ୍ଗ ଗ୍ରୁପର ଦ୍ବିତୀୟ ବୈଷୟିକ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉଚ୍ଚସ୍ତରୀୟ ଆନ୍ତର୍ଜାତୀୟ ମହାମିଳନରୁ ହିଁ ବିଶ୍ୱ ବିପର୍ଯ୍ୟୟ ପରିଚାଳନାର ଏକ ନୂତନ ସୂତ୍ର ଓ ବ୍ଲୁ-ପ୍ରିଣ୍ଟ ବାହାରିବ।
୧୦ଟି ପ୍ରମୁଖ ରାଷ୍ଟ୍ରର ପ୍ରତିନିଧି ସାମିଲ
ଏହି ବିଶ୍ୱସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ବ୍ରିକ୍ସ (BRICS) ରାଷ୍ଟ୍ରସମୂହର ପ୍ରତିନିଧି ଦଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ଏହି ସମ୍ମିଳନୀରେ ସାମିଲ ହେଉଥିବା ପ୍ରମୁଖ ଦେଶଗୁଡ଼ିକ ହେଲେ:ବ୍ରାଜିଲ୍, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ ଓ ଇରାନ୍ । ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚାଇନା। ଏଥିରେ ୩ ଦିନିଆ ସମ୍ମିଳନୀର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ରହିଛି । ଜୁନ୍ ୩ ବା ଆଜି ପ୍ରତିନିଧିମାନଙ୍କ ଆଗମନ ଏବଂ ପ୍ରାରମ୍ଭିକ ପ୍ରସ୍ତୁତି ହେବ। ବିପର୍ଯ୍ୟୟ ପ୍ରତିରୋଧୀ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ ଓ ସ୍ଥାୟିତ୍ଵ ବିକାଶ ନେଇ ପ୍ରାଥମିକ ଆଲୋଚନା ହେବ। ଜୁନ୍ ୪ (ଆସନ୍ତାକାଲି) ଉଦ୍ଘାଟନୀ ଉତ୍ସବ ରହିଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅଧିବେଶନରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସ୍ଥାୟୀ ଅର୍ଥ ବ୍ୟବସ୍ଥା ଏବଂ ସମାବେଶୀ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ଏହାପରେ ଅତିଥିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ। ଜୁନ୍ ୫ ବୈଷୟିକ ଅଧିବେଶନ ହେବ । ଜଳବାୟୁ ପ୍ରତିରୋଧୀ ଭିତ୍ତିଭୂମି, ପ୍ରକୃତି ଆଧାରିତ ସମାଧାନର ସମନ୍ଵୟ ଏବଂ ଡିଆରଆର (DRR) କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ଉପରେ ଚର୍ଚ୍ଚା ହେବ। ଏହାସହ ରାମଚଣ୍ଡୀରେ ନୌକା ଉଦ୍ଧାର କାର୍ଯ୍ୟକଳାପର କ୍ଷେତ୍ର ପରିଦର୍ଶନ କରାଯିବ।
ଆଲୋଚନାର ମୁଖ୍ୟ ପ୍ରସଙ୍ଗ
ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଏହି ସମ୍ମିଳନୀରେ ୫ଟି ମୁଖ୍ୟ ବିଷୟବସ୍ତୁ ଉପରେ ରୋଡମ୍ୟାପ୍ ପ୍ରସ୍ତୁତ ହେବ:
1. ଗୋଷ୍ଠୀ ଭିଭିକ ଡିଆର୍ଆର୍ (DRR) ଶାସନ ବ୍ୟବସ୍ଥା।
2. ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପାଇଁ ସୁଦୃଢ଼ ଅର୍ଥ ବ୍ୟବସ୍ଥା।
3. ବହୁ ମୁଖୀ ବିପଦ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ପ୍ରକୃତି ଆଧାରିତ ଓ ସ୍ବଦେଶୀ ସମାଧାନର ଉପଯୋଗ।
4. ବିପର୍ଯ୍ୟୟ ପରିଚାଳନାରେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର।
କଡ଼ା ସୁରକ୍ଷା ବଳୟରେ ପୁରୀ ଓ କୋଣାର୍କ
ସମ୍ମିଳନୀ ପାଇଁ ପୁରୀର ବଳିଆପଣ୍ଡାସ୍ଥିତ୍ 'ତାଜ୍ ହୋଟେଲ' କୁ ମୁଖ୍ୟ କେନ୍ଦ୍ର କରାଯାଇଛି। ଡିଜିପି ଯୋଗେଶ ବାହାଦୂର ଖୁରାନିଆ ନିଜେ ହୋଟେଲ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଭିଆଇପିଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସମୀକ୍ଷା ସମୟରେ କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ୍ ନାୟକ ଏବଂ ପୁରୀ ଏସପି ପ୍ରତୀକ ସିଂ ଉପସ୍ଥିତ ଥିଲେ। ଯେକୌଣସି ଜରୁରୀକାଳୀନ ସ୍ଥିତି ପାଇଁ ପୁରୀ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ହୋଟେଲ ତାଜ୍ ପରିସରରେ ସ୍ୱାସ୍ଥ୍ୟ ଟିମ୍ ପ୍ରସ୍ତୁତ ରହିଛନ୍ତି। ସେହିପରି ଅତିଥିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର, ଇଣ୍ଟରପ୍ରିଟେସନ ସେଣ୍ଟର୍ ଓ ଚିଲିକା ବୁଲିବାକୁ ଯିବାର କାର୍ଯ୍ୟକ୍ରମ ଥିବାରୁ କୋଣାର୍କରେ ମଧ୍ୟ ଜଣେ ମେଡିସିନ ସ୍ପେଶିଆଲିଷ୍ଟଙ୍କ ସହ ଏଏସଆଇ (ASI) ଓ ଆଇଓସିଏଲ (IOCL) ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି।