ନୂଆଦିଲ୍ଲୀ: ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଆଜି (ବୁଧବାର) ସକାଳେ ଘଟିଛି ଏକ ଭୟଙ୍କର ଅଗ୍ନିକାଣ୍ଡ। ଦକ୍ଷିଣ ଦିଲ୍ଲୀର ହୌଜ୍ ରାନୀ ଅଞ୍ଚଳରେ ଥିବା ବହୁତଳ ଲେମନ ଗ୍ରୀନ୍ ରେଷ୍ଟୁରାଣ୍ଟରେ ହଠାତ୍ ନିଆଁ ଲାଗିବା ପରେ ଚାରିଆଡ଼େ ଖେଳିଯାଇଥିଲା ଆତଙ୍କ। ଏହି ଭୟଙ୍କର ଦୁର୍ଘଟଣାରେ ଅତିକମରେ ୨୦ଲୋକଙ୍କ ଜୀବନ୍ତ ଦଗ୍ଧ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବିଦେଶୀ ନାଗରିକ ଥିବା ସୂଚନା ମିଳିଛି।
ଆଜି ସକାଳ ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା। ନିଆଁ ଦ୍ରୁତ ଗତିରେ ବିଲ୍ଡିଂର ବିଭିନ୍ନ ମହଲାକୁ ବ୍ୟାପିଯିବାରୁ ଭିତରେ ଥିବା ଲୋକମାନେ ଫସିଯାଇଥିଲେ। ସକାଳ ୯ଟା ୪୫ ମିନିଟ୍ରେ ଅଗ୍ନିଶମ ବିଭାଗ ପାଖକୁ ଖବର ପହଞ୍ଚିବା ପରେ ତୁରନ୍ତ ୧୦ଟି ଫାୟାର ଟେଣ୍ଡର ଘଟଣାସ୍ଥଳକୁ ପଠାଯାଇଥିଲା।
ଅଗ୍ନିଶମ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ରେଷ୍ଟୁରାଣ୍ଟର ବେସମେଣ୍ଟରୁ ୩୭ ଜଣଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯାଇଥିଲା। ସେହିପରି ପ୍ରଥମ ପର୍ଯ୍ୟାୟରେ ୧୧ ଜଣ ଆହତଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲେ ମଧ୍ୟ ବିଲ୍ଡିଂ ଭିତରେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ତଲାସି ଓ ଉଦ୍ଧାର ଅଭିଯାନ ଜାରି ରହିଛି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପୋଲିସ ଓ ଅଗ୍ନିଶମ ବିଭାଗ ମିଳିତ ତଦନ୍ତ ଆରମ୍ଭ କରିଛନ୍ତି।
ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସରକାର ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ଓ ସହାୟତା ଯୋଗାଇ ଦିଆଯାଉଥିବା କଥା ମଧ୍ୟ ସେ କହିଛନ୍ତି।
ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ଏଲ୍ପିଜି ସିଲିଣ୍ଡର ବିସ୍ଫୋରଣରେ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ି ୧୦ ଜଣ ଆହତ ହୋଇଥିବାବେଳେ, ତା’ ପରଦିନ ଏହି ଅଗ୍ନିକାଣ୍ଡ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି।