ନୂଆଦିଲ୍ଲୀ: କେନ୍ଦ୍ରୀୟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କଣ ନିଜର ବିଦେଶୀ ମୁଦ୍ରା ଭଣ୍ଡାର (Forex Reserve) କୁ ସୁରକ୍ଷିତ ରଖିବା ପାଇଁ ନିଜ ଗୋଲ୍ଡ ରିଜର୍ଭରୁ ସୁନା ବିକ୍ରି କରିଦେଇଛି? ଆନ୍ତର୍ଜାତୀୟ ଗଣମାଧ୍ୟମ ‘ବ୍ଲୁମବର୍ଗ’ର ଏକ ରିପୋର୍ଟରେ ଏଭଳି ଆଶଙ୍କା ପ୍ରକାଶ ପାଇବା ପରେ ଏହି ଖବର ଚାରିଆଡ଼େ ନିଆଁ ଭଳି ବ୍ୟାପି ଯାଇଥିଲା। ତେବେ ଏହି ଗୁଜବ ଉପରେ ଏବେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି।
ସରକାରୀ ସୂଚନା ସଂସ୍ଥା PIBର ଫ୍ୟାକ୍ଟ ଚେକ୍ ଟିମ୍ ଏହି ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛି। ସରକାରଙ୍କ ପକ୍ଷରୁ ସେହି ସମସ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରାଯାଇଛି, ଯେଉଁଥିରେ ଦେଶର ବିଦେଶୀ ମୁଦ୍ରା ସମ୍ପତ୍ତିକୁ ସନ୍ତୁଳିତ ରଖିବା ପାଇଁ ଆରବିଆଇ ସୁନା ବିକ୍ରି କରିଥିବା ଦାବି କରାଯାଉଥିଲା।
ବ୍ଲୁମବର୍ଗ ରିପୋର୍ଟରେ କଣ ଥିଲା ?
ବ୍ଲୁମବର୍ଗ ନିଜ ରିପୋର୍ଟରେ ଅନୁମାନ ଲଗାଇଥିଲା ଯେ, ମଧ୍ୟ-ପ୍ରାଚ୍ୟରେ ଲାଗି ରହିଥିବା ସାମରିକ ତିକ୍ତତା ଏବଂ ବିଶ୍ୱ ବଜାରର ଅସ୍ଥିରତା ମଧ୍ୟରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଉଥିଲା। ଏହି ହ୍ରାସକୁ ରୋକିବା ପାଇଁ ଏବଂ ବିଦେଶୀ ମୁଦ୍ରାକୁ ବଞ୍ଚାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ନିଜ ସୁନା ଗଚ୍ଛିତ ଭଣ୍ଡାରରୁ କିଛି ଅଂଶ ବିକ୍ରି କରିଦେଇଛି। ତେବେ ଏହି ରିପୋର୍ଟ ପ୍ରକାଶ ପାଇବାର ଠିକ୍ ଗୋଟିଏ ଦିନ ପରେ ସରକାର ଏହାର ସତ୍ୟତା ସାମ୍ନାକୁ ଆଣିଛନ୍ତି।
ସୁନା କମିନି,ବରଂ ବଢ଼ିଛି
ବ୍ଲୁମବର୍ଗର ରିପୋର୍ଟକୁ ଖଣ୍ଡନ କରି କେନ୍ଦ୍ର ସରକାର କହିଛନ୍ତି ଯେ, ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ସୁନାର ପରିମାଣ କମିବା ବଦଳରେ ଓଲଟା ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାରରେ ସୁନାର ଅଂଶଧନ ୧୩.୯୨ ପ୍ରତିଶତ ଥିଲା। ୩୧ ମାର୍ଚ୍ଚ ୨୦୨VI କୁ ଏହା ବୃଦ୍ଧି ପାଇ ୧୬.୭୦ ପ୍ରତିଶତ ହୋଇଥିଲା। ୨୨ ମେ ୨୦୨VI ସୁଦ୍ଧା ଏହି ସେୟାର ଆହୁରି ବଢ଼ି ୧୬.୮୫ ପ୍ରତିଶତରେ ପହଞ୍ଚିଛି।
ଆରବିଆଇ ମଧ୍ୟ ଏକ ସ୍ପଷ୍ଟ ବୟାନ ଜାରି କରି କହିଛି ଯେ, କେନ୍ଦ୍ରୀୟ ବ୍ୟାଙ୍କର ସ୍ୱର୍ଣ୍ଣ ଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଅପରିବର୍ତ୍ତିତ ରହିଛି। ସୁନା ବିକ୍ରିକୁ ନେଇ ଚାଲିଥିବା ଚର୍ଚ୍ଚା କେବଳ ଏକ ଗୁଜବ ମାତ୍ର।