ବରଗଡ଼: ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାର ଗୁରୁତର ଅଭିଯୋଗ ଆସିଛି । ଚିକିତ୍ସାରେ ଅବହେଳା ପାଇଁ ଗୋଟେ ୯ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।
ଗତକାଲି ରାତି ୧୨ଟାରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ପାଟକୁଲୁଣ୍ଡା ଗାଁର ଶିବା କଲେତ ଓ ତାଙ୍କ ସ୍ତ୍ରୀ ନିଜ ନଅ ମାସର ଝିଅ ଅସୁସ୍ଥ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ଡ୍ୟୁଟିରେ ଥିବା ଡାକ୍ତର ଶିଶୁଟି ଗୁରୁତର ଥିବା ସତ୍ୱେ ସକାଳ ଯାଏଁ କୌଣସି ଚିକିତ୍ସା କରିନଥିଲେ । ରାତି ସାରା ଶିଶୁଟି ଚିକିତ୍ସା ନପାଇ ଡହକ ବିକଳ ହେଉଥିବା ବେଳେ ବାପା ମା ସବୁ ଆଡ଼େ ଦୌଡ଼ି ନୟାନ୍ତ ହୋଇଥିଲେ । ଶେଷରେ ସକାଳେ ଡାକ୍ତର ଆସି ଶିଶୁର ଚିକିତ୍ସା କରିଥିଲେ । ମାତ୍ର ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।
ଡିଏମ୍ଏମ୍ ଚାର୍ଜରେ ଡାକ୍ତର କହିଛନ୍ତି ଯେ ଏ ସମ୍ପର୍କରେ ତଦନ୍ତ କରାଯିବ । ଯେଉଁମାନେ ଚିକିତ୍ସାରେ ଅବହେଳା କରିଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।