ବଲାଙ୍ଗିର: ଲାଞ୍ଚ ନେବା ମାମଲାରେ ପୂର୍ବତନ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀଙ୍କୁ ବଡ଼ ଝଟକା। ଦୀର୍ଘ ବର୍ଷର ଆଇନଗତ ଲଢ଼େଇ ପରେ ଶେଷରେ ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ନ ଦେଲେ ଆହୁରି ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।
ବଲାଙ୍ଗିର ଜିଲ୍ଲା ଦେଓଗାଁ ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିବାବେଳେ ରାଜେନ୍ଦ୍ର ଚୌଧୁରୀ ଜଣେ ବାଲି ବ୍ୟବସାୟୀଙ୍କୁ ୱାଇ ଫର୍ମରେ ଟ୍ରାନ୍ଜିଟ୍ ପାସ୍ ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାକୁ ନେଇ ବ୍ୟବସାୟୀ ବୀରେନ ଦଳାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍ ଫାନ୍ଦ ପକାଇଥିଲା ଏବଂ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜେନ୍ଦ୍ର ଚୌଧୁରୀଙ୍କୁ ରେଡହ୍ୟାଣ୍ଡ ଧରି ଗିରଫ କରିଥିଲା। ପରେ ମାମଲାର ତଦନ୍ତ ଓ ଶୁଣାଣି ଚାଲିଥିଲା।
ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଦଣ୍ଡାଦେଶ ପରେ ସେ ଅଦାଲତରୁ ଜାମିନ ପାଇଥିବା ବେଳେ ଆସନ୍ତା ଏକ ମାସ ମଧ୍ୟରେ ଉଚ୍ଚ ନ୍ୟାୟାଳୟରୁ ରିଲିଫ୍ ନ ମିଳିଲେ ତାଙ୍କୁ ଜେଲ୍ ଯିବାକୁ ପଡ଼ିବ।
ଏହାସହ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ରାଜେନ୍ଦ୍ର ଚୌଧୁରୀଙ୍କ ପେନସନ୍ ବନ୍ଦ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ସରକାରଙ୍କ ନିକଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ଏହି ରାୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଏକ କଡ଼ା ବାର୍ତ୍ତା ଭାବେ ଦେଖାଯାଉଛି।