ଭୁବନେଶ୍ୱର: ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଖରା ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚିବ ବୋଲି ବଡ଼ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବହି ବଣ୍ଟନକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ ମନ୍ତ୍ରୀଙ୍କ ଏହି ଘୋଷଣା ଛାତ୍ରଛାତ୍ରୀଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ୯୦ ପ୍ରତିଶତ ପାଠ୍ୟପୁସ୍ତକ ଛପା ସରିଥିବାବେଳେ ସେଗୁଡ଼ିକ ଜିଲ୍ଲା ଓ ବିଦ୍ୟାଳୟଗୁଡ଼ିକରେ ପହଞ୍ଚାଯାଉଛି। ବାକି ୧୦ ପ୍ରତିଶତ ବହି ମଧ୍ୟ ଖରା ଛୁଟି ମଧ୍ୟରେ ଛାତ୍ରଛାତ୍ରୀଙ୍କ ହାତରେ ପହଞ୍ଚିଯିବ। ବହି ଛପାରେ ପ୍ରିଣ୍ଟିଂ ସମସ୍ୟା ହେତୁ କିଛି ବିଳମ୍ବ ହୋଇଥିବା କଥାକୁ ମନ୍ତ୍ରୀ ସ୍ୱୀକାର କରିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ୨୭ ତାରିଖରୁ ସମସ୍ତ ସ୍କୁଲକୁ ଖରା ଛୁଟି ଘୋଷଣା କରିଥିଲେ। ଏଭଳି ସ୍ଥିତିରେ ବହି ବଣ୍ଟନ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇ ସରକାର ସ୍ପଷ୍ଟ କରିଛନ୍ତି ପିଲାଙ୍କ ପାଠପଢ଼ାରେ କୌଣସି ବାଧା ସୃଷ୍ଟି ହେବ ନାହିଁ।