ଭୁବନେଶ୍ୱର: ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରିବାରରୁ ଆସିଛି ଏକ ଦୁଃଖଦ ଖବର। ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ତଥା ବଡ଼ଭାଇ ଦୀନବନ୍ଧୁ ମାଝୀଙ୍କର ବିଳମ୍ବିତ ରାତିରେ ଆକସ୍ମିକ ପରଲୋକ ହୋଇଯାଇଛି। ସୂଚନା ଅନୁସାରେ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଦୀନବନ୍ଧୁ ଭୁବନେଶ୍ୱରର ଲୋୟର ପିଏମଜି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ସରକାରୀ ବାସଭବନରେ ରହୁଥିଲେ। ବିଳମ୍ବିତ ରାତିରେ ସେ ହଠାତ୍ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ କୌଣସି ବିଳମ୍ବ ନକରି ତାଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପରିବାରକୁ ବିଭିନ୍ନ ମହଲରୁ ସମବେଦନା ଜଣାଯାଉଛି।