ପୁରୀ: ପୁରୀରେ ଆଜିଠାରୁ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି । ବ୍ରିକ୍ସ ରାଷ୍ଟ୍ରସମୂହର ବ୍ରିକ୍ସ ରିଡକ୍ସନ ୱାର୍କିଙ୍ଗ ଗ୍ରୁପର ଦ୍ଵିତୀୟ ବୈଷୟିକ ସମ୍ମିଳନୀ ଆରମ୍ଭ ହୋଇଛି । ମୋଟ ୧୧ଟି ଦେଶର ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି । ଜୁନ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆନ୍ତର୍ଜାତିକ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ପ୍ରତିନିଧି ଓ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି।
ଦ୍ୱିତୀୟ ବୈଷୟିକ ସମ୍ମିଳନୀରେ ବ୍ରାଜିଲ,ରୁଷିଆ,ଇଣ୍ଡିଆ,ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚାଇନା, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ଭଳି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧି ଯୋଗ ଦେଇଛନ୍ତି ।
“Building for Resilience, Innovation, Cooperation and Sustainability” ଥିମ୍କୁ ନେଇ ଆୟୋଜିତ ଏହି ବୈଠକର ପ୍ରଥମ ଦିନରେ ବିଭିନ୍ନ ସାଇଡ୍ ଇଭେଣ୍ଟ ଅନୁଷ୍ଠିତ ହେଉଛି । ପ୍ରଥମ ଦିନରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ବିପର୍ଯ୍ୟୟ ଅର୍ଥାୟନ, ବହୁମୁଖୀ ବିପଦ ପୂର୍ବ ସତର୍କୀକରଣ ବ୍ୟବସ୍ଥା, ଜଳବାୟୁ ଅନୁକୂଳ ଭିତ୍ତିଭୂମି ବିକାଶ, ପ୍ରାକୃତିକ ଓ ସ୍ଥାନୀୟ ଜ୍ଞାନ ଆଧାରିତ ସମାଧାନ ଏବଂ ବିଜ୍ଞାନ-ପ୍ରଯୁକ୍ତିର ବ୍ୟବହାର ଭଳି ଛଅଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି।
ଜୁନ ୪ ତାରିଖରେ ପୁରୀର ତାଜ୍ ହୋଟେଲ ଆୟୋଜିତ ମୁଖ୍ୟ ଅଧିବେଶନର ଉଦ୍ଘାଟନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ଅଧିବେଶନ ଗୁଡ଼ିକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ହ୍ରାସ ପାଇଁ ଅର୍ଥାୟନ, ସମାବେଶୀ ପୂର୍ବ ସତର୍କୀକରଣ ବ୍ୟବସ୍ଥା ଓ ବିପଦ ସୂଚନା ବ୍ୟବସ୍ଥା ଉପରେ ଆଲୋଚନା ହେବ । ସେହି ଦିନ ପ୍ରତିନିଧିମାନେ କୋଣାର୍କ ଗସ୍ତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ।
ଶେଷ ଦିନ ଜୁନ ୫ ତାରିଖରେ ଜଳବାୟୁ-ସହନଶୀଳ ଭିତ୍ତିଭୂମି, ପ୍ରାକୃତିକ ଓ ପାରମ୍ପରିକ ଜ୍ଞାନର ସମନ୍ୱୟ ଏବଂ ବିପର୍ଯ୍ୟୟ ପରିଚାଳନାରେ ବିଜ୍ଞାନ ଓ ନବସୃଜନର ଭୂମିକା ଉପରେ ଚୂଡ଼ାନ୍ତ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ। ଏହା ସହ ରାମଚଣ୍ଡୀ ଅଞ୍ଚଳରେ ବୋଟ୍ ରେସ୍କ୍ୟୁ ଅପରେସନ୍ର ସ୍ଥଳ ପରିଦର୍ଶନ ମଧ୍ୟ କାର୍ଯ୍ୟସୂଚୀରେ ରହିଛି। ପୁରୀରେ ଆୟୋଜିତ ଏହି ବୈଠକ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ବିପର୍ଯ୍ୟୟ ପ୍ରସ୍ତୁତି, ସହଯୋଗ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ନୂଆ ଦିଗ ଖୋଲିବ ବୋଲି ଆଶା କରାଯାଉଛି।
ବ୍ରିକ୍ସ ସମ୍ମିଳନୀ ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମ୍ପୂର୍ଣ୍ଣ ପୁରୀରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତାଜ ହୋଟେଲକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ।