ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରକୁ ଉଚ୍ଚ ସ୍ତରୀୟ ଟିମ୍ ପରିଦର୍ଶନ କରିଛନ୍ତି । ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂହ, ଦଇତାପତି ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ଅନ୍ୟାନ୍ୟ ସେବାୟତ ସଦସ୍ୟ ଆଜି ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କରୁଛନ୍ତି ।
ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ୭ ଦିନ ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ପାଇଁ ଟିକେଟ ଦର୍ଶନ ବ୍ୟବସ୍ଥା କରିବାକୁ ଦଇତାପତି ନିଯୋଗ ପରାମର୍ଶ ଦେଇଛି । ସେହିପରି ଗୁଣ୍ଡିଚା ମନ୍ଦିର ଉତ୍ତର ଦ୍ଵାର ପଟେ ତିନୋଟି ସ୍ଵତନ୍ତ୍ର ଲାଇନ୍ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ । ଗୁଣ୍ଡିଚା ମନ୍ଦିର ଭିତରେ ଭକ୍ତଙ୍କ ଭିଡ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି । ଗୁଣ୍ଡିଚା ମନ୍ଦିର ରୋଷ ଶାଳା ପାର୍ଶ୍ଵରେ ଏକ ସ୍ଵତନ୍ତ୍ର ଲାଇନ୍ କରାଯିବ ।
ଗତ କିଛି ବର୍ଷ ହେବ ଗୁଣ୍ଡିଚା ମନ୍ଦିର ଉନ୍ନୟନ, ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁ ରହିଛି । ଫଳରେ ନୂଆ ରୂପ ନେଇଛି ଗୁଣ୍ଡିଚା ମନ୍ଦିର । ଗୁଣ୍ଡିଚା ମନ୍ଦିର ଜଗମୋହନ, ତୁଣିଆ ଘର ଆରମ୍ଭ କରି ବିଭିନ୍ନ ସ୍ଥାନରେ ପୁରୁଣା ପଥର ପରିବର୍ତ୍ତନ କରାଯାଇ ନୂଆ ଖାଣ୍ଡେଲାଇଟ୍ ପଥର ପରିବର୍ତ୍ତନ କରାଯାଇଛି। ରଥଯାତ୍ରା ପୂର୍ବରୁ ଏ ସମସ୍ତ କାର୍ଯ୍ୟ ଶେଷ ହେବା ନେଇ ଉଚ୍ଚସ୍ତରୀୟ କମିଟି ଆଶା ରଖିଛି । ବିଶେଷ କରି ରଥଯାତ୍ରା ୯ ଦିନ ଯାକ କିଭଳି ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ରହିବ, ମନ୍ଦିର ଭିତରେ ଓ ବାହାରେ ଭିଡ ନିୟନ୍ତ୍ରଣ କରାଯିବ, ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ , କେଉଁ ସ୍ଥାନରେ ଫୋର୍ସ ମୁତୟନ ହେବ ଏସବୁର ଟିକିନିଖି ତର୍ଜମା କରିଛନ୍ତି ଅତିରିକ୍ତ ଡିଜି ଓ କେନ୍ଦ୍ରାଞ୍ଚଳ ଆଇଜି ।
ଗତବର୍ଷ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଦଳାଚକଟା ଘଟଣାର କିଭଳି ପୁନରାବୃତ୍ତି ନ ହେବ ସେଥିପାଇଁ ଯଥେଷ୍ଟ ପୂର୍ବରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପରେ ରଥ ସ୍ଥାନ ପରିବର୍ତ୍ତନ ନେଇ ଯେଉଁ ପ୍ରସଙ୍ଗ ଉଠିଥିଲା ତାହା ଆଦୌ ସମ୍ଭବପର ନୁହେଁ ବୋଲି କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ।