ଗଞ୍ଜାମ: ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନାରେ ଘଟିଥିବା କଥିତ ହାଜତ ମୃତ୍ୟୁ ଘଟଣାକୁ ନେଇ ପୁଲିସ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ସୁନିଶ୍ଚିତ କରିବା ପାଇଁ କବିସୂର୍ଯ୍ୟନଗର ଥାନାର ୨୩ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ବଦଳି କରାଯାଇଛି। ଏହାସହ ବାଲିଛାଇ ଫାଣ୍ଡିର ୩ ଜଣ କର୍ମଚାରୀଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ଗଞ୍ଜାମ ଏସ୍ପିଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ତଦନ୍ତ ପ୍ରକ୍ରିୟା ଉପରେ କୌଣସି ପ୍ରଭାବ ନପଡ଼ିବା ଏବଂ ସତ୍ୟ ପଦାକୁ ଆସିବା ପାଇଁ ଏହି ବଦଳି କରାଯାଇଛି। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଥିବା ବେଳେ ପୁଲିସର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
ଅନ୍ୟପଟେ, ମାମଲାର ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି ମାନବାଧିକାର ସୁରକ୍ଷା ସେଲ୍ (HRPC)। ମଙ୍ଗଳବାର ଗଞ୍ଜାମରେ ପହଞ୍ଚିଥିବା ୪ ଜଣିଆ ଟିମ୍ ଘଟଣାର ପ୍ରତ୍ୟେକ ଦିଗକୁ ଖତିଆନ କରୁଛନ୍ତି। ମୃତକ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ବୁଧବାର ପୁରୁଷୋତ୍ତମପୁର ଡାକବଙ୍ଗଳାକୁ ଡକାଯାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଛି।
ପରିବାର ଲୋକ ହାଜତ ଭିତରେ ନିର୍ଯାତନା ଯୋଗୁଁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିବା ବେଳେ, ତଦନ୍ତକାରୀ ଟିମ୍ ସେହି ଅଭିଯୋଗର ସତ୍ୟତା ଯାଞ୍ଚ କରୁଛି। ସମସ୍ତ ପ୍ରମାଣ, ସାକ୍ଷ୍ୟ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ଆଧାରରେ ଘଟଣାର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା ଚାଲିଛି।
କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା ଏବେ ରାଜ୍ୟର ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିବା ବେଳେ, ତଦନ୍ତରୁ କଣ ସତ୍ୟ ସାମ୍ନାକୁ ଆସୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୁଲିସ ବିଭାଗର ବଡ଼ ଧରଣର ବଦଳି ଓ HRPCର ସକ୍ରିୟ ତଦନ୍ତ ଏହି ମାମଲାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଦେଇଛି।