ଭୁବନେଶ୍ୱର: ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାମେଶ୍ୱରଠୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ରାଜପଥ ନିର୍ମାଣ ହେବ । ରାମେଶ୍ୱରଠାରୁ ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ ୧୬୦.୧୮ କିମି ରାସ୍ତା ପାଇଁ ୮ ହଜାର ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଓଡ଼ିଶାର ବିକାଶରେ ‘କୋଷ୍ଟାଲ ହାଇଓ୍ୱେ’ ଗେମ୍-ଚେଞ୍ଜର ହେବ । ରାମେଶ୍ୱର ଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ୧୬୦.୧୮ କିଲୋମିଟର ବିଶିଷ୍ଟ ଗ୍ରୀନଫିଲ୍ଡ ‘କୋଷ୍ଟାଲ ହାଇୱେ’ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୮ ହଜାର ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଏହି ମେଗା ପ୍ରକଳ୍ପକୁ ଦୁଇଟି ପ୍ୟାକେଜ୍ରେ ବିଭକ୍ତ କରାଯାଇଛି । ପ୍ୟାକେଜ୍-୧ ଅଧୀନରେ ରାମେଶ୍ୱର ଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୭୯ କିଲୋମିଟର ରାସ୍ତାକୁ ୪ ଲେନ୍ ବିଶିଷ୍ଟ ହାଇୱେ କରାଯିବ ଏବଂ ପ୍ୟାକେଜ୍-୨ ଅଧୀନରେ କାକଟପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ରୋଡକୁ ୨ ଲେନ୍ ବିଶିଷ୍ଟ କରାଯିବ ।
ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ରେ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବ । ରାଜ୍ୟର Blue Economy, ଉପକୂଳବର୍ତ୍ତୀ ପର୍ଯ୍ୟଟନ ଓ ଶିଳ୍ପାୟନକୁ ନୂତନ ଗତି ଦେବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ରୋଜଗାର ଓ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।