କେନ୍ଦୁଝର: ପଦ ଓ ପ୍ରତିଷ୍ଠାଠାରୁ ଉପରେ ରହିଥାଏ ପରିବାରର ସମ୍ପର୍କ। ଏହାର ଏକ ଭାବପ୍ରବଣ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ରାଇକଳା ଗାଁରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବଡ଼ବାପା ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ତାଙ୍କୁ ଶେଷ ବିଦାୟ ଜଣାଇଛନ୍ତି।
ଭୁବନେଶ୍ୱରର ଲୋୟର ପିଏମଜି ସ୍ଥିତ ସରକାରୀ ବାସଭବନରେ ରହୁଥିବା ଦୀନବନ୍ଧୁ ମାଝୀ ଗତକାଲି ବିଳମ୍ବିତ ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପରିବାର ସହ ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଥିଲା।
ପରେ ଦୀନବନ୍ଧୁ ମାଝୀଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ରାଇକଳାକୁ ଅଣାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଭାଇଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ସେ ପରିବାର ସଦସ୍ୟଙ୍କ ସହ ସମୟ ବିତାଇବା ସହ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଗାଁ ଗସ୍ତକୁ ନେଇ ରାଇକଳା ଓ ଆଖପାଖ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଥିଲା। ଦୀନବନ୍ଧୁ ମାଝୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ବାସିନ୍ଦା ଏବଂ ଦଳୀୟ କର୍ମୀଙ୍କ ଭିଡ଼ ଜମିଥିଲା।