ମୟୁରଭଞ୍ଜ: ଏସ୍ଆଇଆର୍ କାର୍ଯ୍ୟରେ ଅବହେଳା ପାଇଁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବିଡ଼ିଓ ତଥା ଏଇଆରଓ ବନଜା ଦାସଙ୍କୁ ନିଲମ୍ବିତ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
ବିଡ଼ିଓ ବନଜା ଦାସଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି ଯେ ମେ ୨୩ ରେ EROS/AEROS ପାଇଁ ଆୟୋଜିତ ଭର୍ଚୁଆଲ୍ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ । ତାଲିମରେ ତାଙ୍କର ଅନୁପସ୍ଥିତି ପାଇଁ ସ୍ପଷ୍ଟୀକରଣ ମଗାଯାଇ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ସେ ତାହାର ଉତ୍ତର ମଧ୍ୟ ରଖିନାହାଁନ୍ତି । ଯାହା ସରକାରୀ ଯୋଗାଯୋଗ ଏବଂ ପ୍ରତିଷ୍ଠିତ ଶୃଙ୍ଖଳାଗତ ପ୍ରକ୍ରିୟାକୁ ଅବମାନନା କରୁଛି ବୋଲି ଦର୍ଶାଉଛି।
ଖାଲି ସେତିକି ନୁହେଁ ମେ ୨୬ ଏବଂ ୨୭ରେ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରଙ୍କ ପାଇଁ ନିର୍ଦ୍ଧାରିତ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିନଥିଲେ । ବିନା ପୂର୍ବ ଅନୁମତିରେ କାର୍ଯ୍ୟକ୍ରମଗୁଡ଼ିକୁ ନିଜ ଇଚ୍ଛା ମୁତାବକ ପୁନଃନିର୍ଦ୍ଧାରିତ କରିଛନ୍ତି । ଯାହା ଏସ୍ଆଇଆର ନିୟମ ଉଲ୍ଲଂଘନ ଅଟେ । ସେହିପରି ସେ ଦୁଇ ଦିନ ଛୁଟିରେ ଥିଲେ ମଧ୍ୟ ମାତ୍ର ଗୋଟିଏ ଦିନ ଛୁଟିର ଅନୁମତି ପାଇଛନ୍ତି । ଏହି ସମସ୍ତ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିଡ଼ିଓଙ୍କୁ ନିଲମ୍ବିତ କରିଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ ।