ବାଲେଶ୍ୱର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ଡମ୍ପର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଭଉଣୀ ଓ ଭାଣିଜୀ ଗୁରୁତର ଆହତ ହୋଇଛନ୍ତି।
ମୃତକ ହେଲେ ନୀଳଗିରି ଅଞ୍ଚଳର ମର୍ଦ୍ଦରାଜପୁର ଗାଁର କମଳ ଲୋଚନ ସାହୁ। ସୂଚନା ଅନୁସାରେ, କମଳ ନିଜ ଭଉଣୀ ଓ ଭାଣିଜୀଙ୍କୁ ନେଇ ବସ୍ତା ଅମର୍ଦା ରୋଡ୍ ଅଞ୍ଚଳରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗତି ଡମ୍ପର ସହ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କମଳ ଲୋଚନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ତାଙ୍କ ଭଉଣୀ ଓ ଭାଣିଜୀ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସା ସେବା ଯୋଗାଇ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡମ୍ପରକୁ ଜବତ କରିବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।