ବୁର୍ଲା: ଆୟଠାରୁ ଅଧିକ ସମ୍ପତ୍ତି ଠୁଳିଥିବା ଅଭିଯୋଗରେ ଭିମ୍ସାର (VIMSAR)ର ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କ ବିରୋଧରେ ମଙ୍ଗଳବାର ବଡ଼ ଧରଣର ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ଏକକାଳୀନ ଭାବେ ତାଙ୍କ ସହ ସମ୍ପୃକ୍ତ ୫ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି।
ସମ୍ବଲପୁର ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୫ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ତଲାସି ଆରମ୍ଭ କରିଛି।
ଭିଜିଲାନ୍ସ ଟିମ୍ ବୁର୍ଲାସ୍ଥିତ ଭିମ୍ସାର ମେଡିକାଲ ଷ୍ଟାଫ୍ କଲୋନୀରେ ଥିବା ସରକାରୀ କ୍ୱାର୍ଟର, ସୌରଭ ବିହାରରେ ନିର୍ମାଣାଧୀନ ଚାରି ମହଲା ବିଶିଷ୍ଟ ଘର, ପଠାନବନ୍ଧ ଅଞ୍ଚଳରେ ଥିବା ଅନ୍ୟ ଏକ ଘର, ବରଗଡ଼ ଜିଲ୍ଲାର ଗୋବିନ୍ଦପାଲିରେ ଥିବା ଆଉ ଏକ ଘର ଏବଂ ଭିମ୍ସାରରେ ଥିବା ତାଙ୍କ କାର୍ଯ୍ୟାଳୟରେ ତଲାସି ଚଳାଇଛି।
ତଦନ୍ତ ସମୟରେ ଜମି, ଘର, ବ୍ୟାଙ୍କ ଜମା, ବିନିଯୋଗ, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କିତ କାଗଜପତ୍ରର ଯାଞ୍ଚ କରାଯାଉଛି। ଅଭିଯୋଗ ହେଉଛି, ଅଶ୍ୱିନୀ ମେହେର ତାଙ୍କ ଜଣାଶୁଣା ଆୟଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଛନ୍ତି।
ତେବେ ଚଢ଼ାଉ ଏବେ ବି ଜାରି ରହିଥିବାରୁ ମୋଟ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦିଆଯାଇନାହିଁ। ତଲାସି ଶେଷ ହେବା ପରେ ଜବତ ସମ୍ପତ୍ତିର ପରିମାଣ ଓ ତଦନ୍ତର ଅନ୍ୟାନ୍ୟ ତଥ୍ୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଭିଜିଲାନ୍ସର ଏହି ଚଢ଼ାଉକୁ ନେଇ ବୁର୍ଲା ଅଞ୍ଚଳରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିବାବେଳେ, ତଦନ୍ତର ଚୂଡ଼ାନ୍ତ ରିପୋର୍ଟକୁ ନେଇ ସମସ୍ତଙ୍କ ନଜର ରହିଛି।