ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଭୀଷଣ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂରତି । ସେଥିପାଇଁ ଅଣସର ଘରେ ଚାଲିଛି ମହାପ୍ରଭୁଙ୍କର ସ୍ୱତନ୍ତ୍ର ଉପଚାର ।
ଗତକାଲି ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ କରି ସାରିବା ପରେ ପୁଣି ଥରେ ଶ୍ରୀମନ୍ଦିରର ଅଣସର ଗୃହକୁ ବୀଜେ କରିଥିଲେ । ଏହା ପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଛି । ଦଇତାପତି ସେବକମାନେ ସ୍ୱତନ୍ତ୍ର ଉପଚାର ବିଧି କରୁଛନ୍ତି । ଅଣସର ଘରେ ଶ୍ରୀଜୀଉଙ୍କ ଦାରୁ ଦିଅଁ ବଦଳରେ ପଟିଦିଅଁକୁ ପୂଜା କରାଯାଇଥାଏ । ଅଣସର ଗୃହରେ ସମ୍ପାଦିତ ନୀତିକୁ ଅଣସର ନୀତି କୁହାଯାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଉଛନ୍ତି । ଆଜିଠାରୁ ନେତ୍ରୋତ୍ସବ ଯାଏ ମହାପ୍ରଭୁଙ୍କ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ।