ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ପଥରଗାଡ଼ିଆ ଅଞ୍ଚଳରେ ଆତ୍ମଦାହ ଉଦ୍ୟମ କରିଥିବା ଯୁବତୀ ଜଣକ ମୃତ୍ୟୁବରଣ କରିଛନ୍ତି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବତୀ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର କଳ୍ପନା ସାମଲ ।
ଇନଫୋସିଟି ଥାନା ପୋଲିସ ଯୁବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି । ଯୁବତୀଙ୍କ ବାପା ଏ ନେଇ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଯୁବତୀଙ୍କ ପରିବାରର ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ଯୁବତୀ ଜଣକ ନୂଆପଲ୍ଲୀ ଥାନା ଅଞ୍ଚଳରେ ଏକ ନର୍ସିଂ ଇନଷ୍ଟିଚ୍ୟୁଟର କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଯୁବକ ଜଣକ ଅନୁଗୋଳର ବାସିନ୍ଦା ଅଟନ୍ତି । ଯୁବକ ଓ ଯୁବତୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ମାତ୍ର କିଛି ମାସ ତଳେ ଉଭୟ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ପରସ୍ପରଠାରୁ ଅଲଗା ହୋଯାଇଥିଲେ । ମଙ୍ଗଳବାର ରାତିରେ ସେମାନେ ପଥରଗାଡ଼ିଆରେ ଥିବା ଏକ କାଫେରେ ଦେଖା ହୋଇଥିଲେ । ରାତି ପ୍ରାୟ ସାଢ଼େ ୯ଟା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଯୁବତୀ ଜଣଙ୍କ କାଫେ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ଏମସକୁ ସ୍ଥାନାନ୍ତର କରିଥିଲା ।