ନୂଆପଡ଼ା: ରବି ଧାନ କ୍ରୟରେ ବିଳମ୍ବକୁ ନେଇ ନୂଆପଡ଼ା ଜିଲ୍ଲାରେ ଚାଷୀଙ୍କ ଅସନ୍ତୋଷ ତୀବ୍ର ରୂପ ନେଇଛି। ଧାନ ମଣ୍ଡିରୁ ଉଠାଯାଉ ନଥିବା ପ୍ରତିବାଦରେ ମଙ୍ଗଳବାର ରାତିରେ ଚାଷୀମାନେ ଜାତୀୟ ରାଜପଥ-୩୫୩ (NH-353) ଅବରୋଧ କରିଥିଲେ। ଫଳରେ ରାଜପଥରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଖଡ଼ିଆର ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ବସ୍ତା ଆଣି ଚାଷୀମାନେ ସିଧାସଳଖ ରାସ୍ତା ଉପରେ ରଖି ବିକ୍ଷୋଭ କରିଥିଲେ। ସେମାନଙ୍କ ଅଭିଯୋଗ, ଦୀର୍ଘଦିନ ଧରି ଧାନ ମଣ୍ଡିରେ ପଡ଼ି ରହିଥିବାରୁ ତାହା ନଷ୍ଟ ହେବାକୁ ବସିଲାଣି। ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଧାନ ଉଠାଇବାରେ ତତ୍ପରତା ଦେଖାଯାଉ ନଥିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।
ଘଟଣାସ୍ଥଳରେ ପହଞ୍ଚି ପ୍ରଶାସନିକ ଅଧିକାରୀମାନେ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଖଡ଼ିଆର, ସାନମହେଶ୍ୱର, ଅରଡ଼ା, ଭୋଜପୁର, ଦୁଆଝର, ବରଗାଁ, ଲାଞ୍ଜି ଓ ଖଡ଼ାପେଜ ମଣ୍ଡି ସମେତ ବିଭିନ୍ନ ମଣ୍ଡିରେ ପଡ଼ିଥିବା ଧାନର ୭୦ ପ୍ରତିଶତ ଶୀଘ୍ର ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଚାଷୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ ଜାରି ରଖିଥିଲେ।
ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମାଜିଷ୍ଟ୍ରେଟ୍ ଓ ପୋଲିସ ପହଞ୍ଚି ରାସ୍ତା ଅବରୋଧ ହଟାଇଥିଲେ। ପ୍ରାୟ ଦେଢ଼ ଘଣ୍ଟା ପରେ ଜାତୀୟ ରାଜପଥରେ ପୁଣି ଯାତାୟାତ ସ୍ୱାଭାବିକ ହୋଇଥିଲା।
ଚାଷୀମାନଙ୍କ କହିବା ଅନୁସାରେ, ସେମାନେ ନିଜସ୍ୱ ଖର୍ଚ୍ଚରେ ଏହି ଆନ୍ଦୋଳନ କରିଥିଲେ। ଯଦିଓ ସ୍ଥାନୀୟ ବିଜେଡି ଓ କଂଗ୍ରେସ ନେତାମାନେ ପରୋକ୍ଷ ସମର୍ଥନ ଦେଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ, ଆନ୍ଦୋଳନରେ ସାମିଲ କିଛି ନେତା ଓ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ ବୋଲି ସୂଚନା ମିଳୁଥିବାବେଳେ ପୋଲିସ ପକ୍ଷରୁ ଏନେଇ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ।
ରବି ଧାନ ଉଠାଣରେ ବିଳମ୍ବକୁ ନେଇ ନୂଆପଡ଼ାରେ ଚାଷୀଙ୍କ ଅସନ୍ତୋଷ ଆହୁରି ବଢ଼ୁଥିବାବେଳେ, ପ୍ରଶାସନର ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।