ଭୁବନେଶ୍ୱର: ଓଡ଼ିଶାର ହଜାର ହଜାର ବୃଦ୍ଧ, ଦିବ୍ୟାଙ୍ଗ ଓ ଅନ୍ୟ ସାମାଜିକ ସୁରକ୍ଷା ପେନ୍ସନଭୋଗୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ପେନ୍ସନଭୋଗୀଙ୍କ ଆଧାର ନମ୍ବର ବ୍ୟାଙ୍କ ଖାତା ସହ ଲିଙ୍କ ହୋଇନଥାଏ, ତେବେ ଆଗାମୀ ଆର୍ଥିକ ବର୍ଷ ୨୦୨୬-୨୭ରୁ ସେମାନଙ୍କ ପେନ୍ସନ ପାଇବାରେ ବିଳମ୍ବ କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହେବାର ଆଶଙ୍କା ରହିଛି।
ଏହାକୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ଆଧାର-ବ୍ୟାଙ୍କ ଲିଙ୍କ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ସୂଚନା ଅନୁସାରେ, ଆସନ୍ତା ଆର୍ଥିକ ବର୍ଷରୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ମିଳୁଥିବା ସମସ୍ତ ପେନ୍ସନ SNA-Sparsh ପ୍ଲାଟଫର୍ମର ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରାଯିବ।
ବର୍ତ୍ତମାନ ରାଜ୍ୟର ୩ ଲକ୍ଷ ୩୫ ହଜାର ୮୫୦ରୁ ଅଧିକ NSAP ପେନ୍ସନଭୋଗୀ ପୁରୁଣା ବ୍ୟାଙ୍କ ଆକାଉଣ୍ଟ ବ୍ୟବସ୍ଥାରେ ପେନ୍ସନ ପାଉଛନ୍ତି। କିନ୍ତୁ ସେମାନଙ୍କ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହୋଇନଥିବାରୁ ନୂଆ ବ୍ୟବସ୍ଥାରେ ପେନ୍ସନ ମିଳିବା ସମ୍ଭବ ହେବ ନାହିଁ।
ବିଶେଷକରି ବୃଦ୍ଧ, ଶଯ୍ୟାଶାୟୀ ଓ ଅସହାୟ ପେନ୍ସନଭୋଗୀମାନେ ବ୍ୟାଙ୍କକୁ ଯାଇ ଆଧାର ଲିଙ୍କ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ଏଭଳି ହିତାଧିକାରୀଙ୍କୁ ଚିହ୍ନଟ କରି ଆବଶ୍ୟକ ସ୍ଥାନରେ ଘରେ ପହଞ୍ଚି ସେବା ଯୋଗାଇବାକୁ କୁହାଯାଇଛି।
ଏଥିସହ ବ୍ଲକ ସ୍ତରରେ ଆଧାର ସିଡିଂ ଓ ଇ-କେୱାଇସି (e-KYC) କାର୍ଯ୍ୟକୁ ଶୀଘ୍ର ଶେଷ କରିବା ସହ ବ୍ୟାଙ୍କ ଲିଙ୍କିଂ ପ୍ରକ୍ରିୟାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ରହିଛି। କୌଣସି ପ୍ରଯୁକ୍ତିଗତ ସମସ୍ୟା ହେଲେ ଜିଲ୍ଲା ଆଧାର ସଂଯୋଜକମାନେ ସହଯୋଗ କରିବେ।
ସରକାରଙ୍କ ଲକ୍ଷ୍ୟ ହେଉଛି ଯେ, କୌଣସି ଯୋଗ୍ୟ ପେନ୍ସନଭୋଗୀଙ୍କ ପେନ୍ସନ ବନ୍ଦ ନହେଉ ଏବଂ ସମସ୍ତ ହିତାଧିକାରୀ ନିରବଚ୍ଛିନ୍ନ ଭାବେ ସ୍ୱଚ୍ଛ ଓ ସମୟାନୁସାରେ ପେନ୍ସନ ପାଇପାରନ୍ତୁ। ତେଣୁ ଯେଉଁମାନଙ୍କର ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହୋଇନାହିଁ, ସେମାନେ ଶୀଘ୍ର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି।