ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ମେଡିକାଲ ଷ୍ଟୋରରେ ଦାମୀ ଇନ୍ସୁଲିନ୍ ଇଞ୍ଜେକ୍ସନ ନଷ୍ଟ ଘଟଣାକୁ ନେଇ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ତଦନ୍ତ ରିପୋର୍ଟ ଆଧାରରେ ଷ୍ଟୋର ମେଡିକାଲ ଅଫିସର (SMO)ଙ୍କୁ ଷ୍ଟୋର ପରିଚାଳନା ଦାୟିତ୍ୱରୁ ହଟାଯାଇଛି। ସେହିପରି ସମ୍ପୃକ୍ତ ଫାର୍ମାସି ଅଫିସରଙ୍କୁ ମଧ୍ୟ ଷ୍ଟୋର ଦାୟିତ୍ୱରୁ ଅପସାରଣ କରିବାକୁ ନିଷ୍ପତ୍ତି ହୋଇଛି।
ଏହାସହ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଣେ ଆଉଟସୋର୍ସିଂ ଆଟେଣ୍ଡାଣ୍ଟଙ୍କୁ ବହିଷ୍କୃତ କରାଯିବ। ନଷ୍ଟ ହୋଇଥିବା ଇଞ୍ଜେକ୍ସନର ମୂଲ୍ୟ ସମ୍ପୃକ୍ତ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସରଙ୍କ ଠାରୁ ଆଦାୟ କରିବାକୁ ମଧ୍ୟ କମିଟି ସୁପାରିସ କରିଛି।
ସୂଚନା ଅନୁସାରେ, ଏପ୍ରିଲ ମାସରେ ମେଡିକାଲ ଷ୍ଟୋରର ଡଷ୍ଟବିନରୁ ୨୧ଟି ଇନ୍ସୁଲିନ୍ ଗ୍ଲାର୍ଜିନ୍ ଇଞ୍ଜେକ୍ସନ ମିଳିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ନିର୍ଦ୍ଦିଷ୍ଟ ତାପମାତ୍ରାରେ ସଂରକ୍ଷଣ ନ କରାଯାଇଥିବାରୁ ସମସ୍ତ ଇଞ୍ଜେକ୍ସନ ନଷ୍ଟ ହୋଇଯାଇଥିଲା। ପ୍ରତ୍ୟେକ ଇଞ୍ଜେକ୍ସନର ମୂଲ୍ୟ ୮୬୯ ଟଙ୍କା ଥିବାରୁ ସରକାରୀ ସମ୍ପତ୍ତିର କ୍ଷତି ଘଟିଛି।
ଘଟଣା ପ୍ରକାଶ ପାଇବା ପରେ ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରେଜିଷ୍ଟ୍ରାରଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ କମିଟି ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛି। ଫାର୍ମାସିଷ୍ଟ ଓ ନର୍ସିଂ ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ ହେବ।
ଏହି ଘଟଣା ମେଡିକାଲ ଷ୍ଟୋର ପରିଚାଳନା ଓ ଔଷଧ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଥିବାବେଳେ, ଭବିଷ୍ୟତରେ ଏଭଳି ଅବହେଳା ରୋକିବା ପାଇଁ ପ୍ରଶାସନ କଡ଼ା ନଜର ରଖିବ ବୋଲି ସୂଚନା ମିଳିଛି।