ନୂଆଦିଲ୍ଲୀ: ଭାରତୀୟ ସ୍ଥଳ ସେନା ମୁଖ୍ୟ ହୋଇଛନ୍ତି ଲେପ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ । ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ଗ୍ରହଣ କରିଛନ୍ତି ଧୀରଜ ସେଠ୍ । ମଙ୍ଗଳବାର ଧୀରଜ ସେଠ ୩୧ତମ ନୂତନ ସେନା ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୩୧ ଅଗଷ୍ଟ ୨୦୨୮ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ।
ସେପଟେ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଚାକିରୀ ଜୀବନରୁ ଅବସର ନେଇଛନ୍ତି । ବିଦାୟୀ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ସାଉଥ୍ ବ୍ଲକ୍ ପରିସରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ଏହା ସହିତ ସେ ଜାତୀୟ ସ୍ମାରକୀ ସ୍ତମ୍ଭରେ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ଧୀରଜ ସେଠଙ୍କର ପ୍ରତିରକ୍ଷା କ୍ଷେତ୍ରରେ ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ରହିଛି । ସେ ଖଡ଼କ୍ୱାସ୍ଲା ନାସନାଲ୍ ଡିଫେନସ୍ ଏକାଡେମୀର ଛାତ୍ର ଅଟନ୍ତି । ୧୯୮୬ ମସିହାରେ ସେ ସେନାରେ ଯୋଗ ଦେଇଥିଲେ । ପ୍ରାୟ ଚାରି ଦଶନ୍ଧିର କ୍ୟାରିୟରରେ, ଲେଫ୍ଟନାଣ୍ଟ ଜେନେରାଲ ପରିଚାଳନାଗତ, ରଣନୈତିକ, ଦକ୍ଷତା ବିକାଶ ଏବଂ ସାଂଗଠନିକ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି ।
ପରବର୍ତ୍ତୀ COAS ସୁଦର୍ଶନ ଚକ୍ର କୋରସର ନେତୃତ୍ୱ ନେଇଛନ୍ତି, ଯାହା ସେନାର ପ୍ରମୁଖ ଷ୍ଟ୍ରାଇକ୍ ଫର୍ମେଶନ ମଧ୍ୟରୁ ଗୋଟିଏ । ସେହିପରି ଦିଲ୍ଲୀ କ୍ଷେତ୍ରର ଜେନେରାଲ ଅଫିସର କମାଣ୍ଡିଂ ଭାବରେ କାର୍ଯ୍ୟ କରିଛନ୍ତି । ଏହା ସହିତ ଦକ୍ଷିଣ ପଶ୍ଚିମ କମାଣ୍ଡ ଏବଂ ଦକ୍ଷିଣ କମାଣ୍ଡର ମଧ୍ୟ ନେତୃତ୍ୱ ନେଇଛନ୍ତି । ତାଙ୍କୁ ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ ଏବଂ ଅତି ବିଶିଷ୍ଟ ସେବା ପଦକରେ ସମ୍ନାନୀତ କରାଯାଇଛି ।