ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମ ମାମଲାରେ ଜେଲ୍ ଦଣ୍ଡାଦେଶ ଭୋଗୁଥିବା ଆସାରାମଙ୍କୁ ସର୍ବୋଚ୍ଚ ଅଦାଲତରୁ ପୁଣି ଏକ ବଡ଼ ଝଟ୍କା ଲାଗିଛି। ସୁପ୍ରିମକୋର୍ଟ ଆଶାରାମଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ମାମଲାର ଶୁଣାଣି କରି ଅଦାଲତ କହିଛନ୍ତି ଯେ, ଏହି ପର୍ଯ୍ୟାୟରେ ଆଶାରାମଙ୍କୁ ମୁକ୍ତ କରାଯାଇପାରିବ ନାହିଁ। ପ୍ରଥମେ ରାଜସ୍ଥାନ ସରକାରଙ୍କ ପକ୍ଷ ଶୁଣାଯିବ, ଏହାପରେ ଯାଇ କୌଣସି ନିଷ୍ପତ୍ତି ନିଆଯିବ। ଏହି ମାମଲାରେ ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି।
ଶୁଣାଣି ସମୟରେ ଅଦାଲତ କହିଛନ୍ତି, ଆମେ ଏବେ ଆଶାରାମଙ୍କୁ ଜାମିନ ଦେଇପାରିବୁ ନାହିଁ। ଆମକୁ ପୂର୍ବରୁ ରାଜସ୍ଥାନ ସରକାରଙ୍କ ପକ୍ଷ ଶୁଣିବାକୁ ହେବ। ଆଶାରାମ ସମାଜରେ ଏକ ପ୍ରଭାବଶାଳୀ ସ୍ଥିତିରେ ଅଛନ୍ତି, ତେଣୁ ଜାମିନ ଆବେଦନ ଉପରେ ବିଚାର କରିବା ବେଳେ ଏହି ଦିଗକୁ ମଧ୍ୟ ଧ୍ୟାନରେ ରଖିବାକୁ ହେବ।
ମେଡିକାଲ ଗ୍ରାଉଣ୍ଡ୍ରେ ଜାମିନ ମାଗିଥିଲେ ଆଶାରାମ
ଜଷ୍ଟିସ ଏମ୍.ଏମ୍ ସୁନ୍ଦରେଶ ଏବଂ ଜଷ୍ଟିସ ଶୀଲ ନାଗୁଙ୍କ ଖଣ୍ଡପୀଠ ଆଶାରାମଙ୍କ ଆବେଦନ ଉପରେ ଶୁଣାଣି କରୁଥିଲେ। ଆଶାରାମଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଦାମା ଶେଷାଦ୍ରି ନାଇଡୁ ଯୁକ୍ତି ବାଢ଼ିଥିଲେ ଯେ, ଆଶାରାମଙ୍କ ବୟସ ୮୦ ବର୍ଷରୁ ଅଧିକ ଏବଂ ସେ ଅନେକ ଜଟିଳ ରୋଗରେ ପୀଡ଼ିତ ଅଛନ୍ତି। କେବଳ ସେତିକି ନୁହେଁ, ସେ ସୋସିଆଲ ମିଡିଆ ଟ୍ରାଏଲ୍ର ଶିକାର ହେଉଛନ୍ତି ବୋଲି ମଧ୍ୟ ଓକିଲ ଦାବି କରିଥିଲେ।
ଅନ୍ୟପଟେ, ପୀଡ଼ିତାଙ୍କ ଓକିଲ ଏହି ଯୁକ୍ତିକୁ ଦୃଢ଼ ବିରୋଧ କରି କହିଥିଲେ ଯେ, ଏହା ଏକ ନାବାଳିକା ସହ ଜଡ଼ିତ ସମ୍ବେଦନଶୀଳ ମାମଲା। ରାଜସ୍ଥାନ ସରକାରଙ୍କ ଓକିଲ ମଧ୍ୟ କୋର୍ଟଙ୍କୁ ଜଣାଇଥିଲେ ଯେ ଗତ ଜୁନ୍ ୨ ତାରିଖରେ ଆସାରାମଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
କୋର୍ଟଙ୍କ କଡ଼ା ଆଭିମୁଖ୍ୟ
ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଏବେ ସଜା ସ୍ଥଗିତ ରଖିବାର ପ୍ରଶ୍ନ ଉଠୁନାହିଁ। ଯଦି କୌଣସି ଜୀବନ ପ୍ରତି ବିପଦ ଥିବା ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ, ତେବେ ଯାଇ ଜାମିନ ଉପରେ ବିଚାର କରାଯାଇପାରେ। ସେ ପର୍ଯ୍ୟନ୍ତ ଜେଲ୍ରେ ତାଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।