ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସୋମବାର ରାତିରୁ ଓଡ଼ିଶାରେ ଆରମ୍ଭ ହୋଇଥିବା ବର୍ଷା ମଙ୍ଗଳବାର ସକାଳେ ଉଗ୍ର ରୂପ ନେଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସହ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଅବିରତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ସକାଳୁ ଅଫିସ୍ ଓ ସ୍କୁଲ ସମୟରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଭୁବନେଶ୍ୱରର ନୟାପଲ୍ଲୀ, ଆଇଆରସି ଭିଲେଜ, ବମିଖାଲ, ଶୈଳଶ୍ରୀ ବିହାର, ଲକ୍ଷ୍ମୀସାଗର ଓ ପୁରୁଣା ଷ୍ଟେସନ ବଜାର ସମେତ ବହୁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ସେହିପରି କଟକର ବାଦାମବାଡ଼ି, ଚାଉଳିଆଗଞ୍ଜ, ମଙ୍ଗଳାବାଗ ଓ ତୁଳସୀପୁର ଭଳି ଅଞ୍ଚଳରେ ମଧ୍ୟ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ରାସ୍ତାରେ ପାଣି ଜମି ରହିଥିବାରୁ ଗାଡ଼ି ଧୀର ଗତିରେ ଚଳାଚଳ କରିଥିଲା ଏବଂ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ଦେଖାଯାଇଥିଲା।
ସ୍କୁଲ ସମୟରେ ପ୍ରବଳ ବର୍ଷା ହେବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବେଶ ହଇରାଣ ହୋଇଥିଲେ। କିଛି ସ୍ଥାନରେ ଆଣ୍ଠୁଏ ପାଣି ଜମିଥିବାରୁ ପିଲାମାନଙ୍କୁ ସ୍କୁଲରେ ପହଞ୍ଚିବା ପାଇଁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା।
ଏପଟେ, ସାରା ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆଜିଠାରୁ ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଆଜି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଜୁଲାଇ ୧ରୁ ପାଗ ଆହୁରି ବିଗିଡ଼ିବ। ବଲାଙ୍ଗୀର, ସୋନପୁର, ବରଗଡ଼ ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସହ ଦମକା ପବନ ବହିବ।
ଜୁଲାଇ ୨ରେ ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଅନ୍ୟପଟେ, ଟ୍ୱିନ୍ ସିଟିରେ ଜମିଥିବା ପାଣି ଶୀଘ୍ର ନିଷ୍କାସନ ପାଇଁ ନଗର ନିଗମ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।