ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆରେ ହୋଇଥିବା ଡବଲ୍ ମର୍ଡର୍ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଦୁଇ ବାପା ଓ ପୁଅଙ୍କ ହତ୍ୟା ମାମଲାରେ ଦୁଇ ଜଣ ନାବାଳକ ସମ୍ପୃକ୍ତ ଅଛନ୍ତି । ବିଦ୍ୟାଳୟର ନାବାଳକ ଛାତ୍ର ଏହି ହତ୍ୟାକାଣ୍ଡ ଭିଆଇଛନ୍ତି । ଏହା ଏକ ସୁଚିନ୍ତିତ ହତ୍ୟା ଷଡ଼ଯନ୍ତ୍ର ବୋଲି ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।
ଅଭିଯୁକ୍ତ ନାବାଳକ
ପୋଲିସ କମିଶନରଙ୍କ ସୂଚନା ମୁତାବକ, କୋଳଥିଆ ବାପା-ପୁଅ ହତ୍ୟାକାଣ୍ଡରେ ଦୁଇ ଜଣ ସ୍କୁଲ ଛାତ୍ର ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଦଶମରେ ପାଠ ପଢ଼ୁଥିବାବେଳେ ଅନ୍ୟ ଜଣେ ଯୁକ୍ତ ଦୁଇରେ ପାଠ ପଢ଼ୁଛନ୍ତି । ଉଭୟଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା ନ ଥିଲେ ମଧ୍ୟ ଏହା ଏକ ସୁଚିନ୍ତିତ ହତ୍ୟା ଷଡ଼ଯନ୍ତ୍ର ।
କୋଳଥିଆର ହିମାଂଶୁ ପାଢ଼ୀ ଏବଂ କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ହତ୍ୟାକାଣ୍ଡକୁ ପ୍ରଥମେ ଲୁଟ୍ କିମ୍ବା ଜମିଜମାକୁ ନେଇ ହୋଇଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ସେମାନଙ୍କର କୌଣସି ସେପରି ଧନ ସମ୍ପତ୍ତି ନ ଥିଲା ଏବଂ ସେମାନେ ଅତି ଗରିବ ଶ୍ରେଣୀର, ସେଥିପାଇଁ ପୋଲିସ ନିଜର ତଦନ୍ତର ଦୀଗକୁ ଆହୁରୀ ଶାଣିତ କରିଥିଲା । ଏକ ଯୁବତୀଙ୍କୁ ହଇରାଣ କରିବାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।
ଜଣେ ଯୁବତୀଙ୍କୁ ହଇରାଣ କରୁଥିଲେ କୃଷ୍ଣ
ମୃତ କୃଷ୍ଣଚନ୍ଦ୍ର ପାଢ଼ୀ ବି.ଏସସି ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଜଣେ ଯୁବତୀଙ୍କୁ ସେ ହଇରାଣ କରୁଥିବା ନେଇ ଅଭିଯୁକ୍ତଙ୍କ ସହିତ ତାଙ୍କର ଦୀର୍ଘ ଏକ ବର୍ଷ ହେବ ବିବାଦ ରହିଥିଲା । ଛାତ୍ରଙ୍କର ଜଣେ ସମ୍ପର୍କୀୟ ଝିଅକୁ କୃଷ୍ଣ ହଇରାଣ କରୁଥିଲେ । ଯେଉଁଥିପାଇଁ ଏହି ହତ୍ୟାକାଣ୍ଡ ଘଟିଛି ।
ହତ୍ୟାରେ ବ୍ୟବହାର ହୋଇଛି ଲଙ୍କା ଗୁଣ୍ଡ, ଲୁହା ରଡ୍ ଓ ମୁଖା
ରବିବାର ରାତିରେ ଉଭୟ ଛାତ୍ର ମୃତ କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ଘରକୁ ଲଙ୍କା ଗୁଣ୍ଡ ଏବଂ ଲୁହା ରଡ୍ ନେଇ ଯାଇଥିଲେ । ସେମାନେ ମୁଖା ପିନ୍ଧିଥିଲେ । କୃଷ୍ଣଙ୍କ ଘର କବାଟ ବାଡ଼େଇବା ପରେ ଅତର୍କିତ ଆକ୍ରମଣ କରିଥିଲେ । ତେବେ ଉଭୟ ହତ୍ୟା କରିବାକୁ ଯୋଜନା ରଖିନଥିଲେ ବୋଲି ପୋଲିସ ନିକଟରେ ସଫେଇ ଦେଇଛନ୍ତି । କିନ୍ତୁ ଯେହେତୁ ସେମାନେ ଲଙ୍କା ଗୁଣ୍ଡ, ମୁଖା ଏବଂ ଲୁହା ରଡର ବ୍ୟବହାର କରିଥିଲେ ତେଣୁ ଏହା ଏକ ହତ୍ୟା ଷଡ଼ଯନ୍ତ୍ର ବୋଲି ପୋଲିସ କମିଶନର୍ କହିଛନ୍ତି ।
ଉଭୟ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ଜୁଭେନାଇଲ୍ କୋର୍ଟକୁ ପଠାଇ ଦିଆଯାଇଛି । ଏହା ପରେ ସେମାନଙ୍କୁ ସୁଧାର ଗୃହକୁ ପଠାଯିବ ବୋଲି ସିପି କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ରବିବାର ରାତିରେ ହିମାଂଶୁ ପାଢ଼ୀ, ପୁଅ କୃଷ୍ଣ ଏବଂ ଝିଅ ତାପସୀ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡ଼େଇଥିଲେ । କବାଟ ଖୋଲିବା କ୍ଷଣି ସେମାନେ କୃଷ୍ଣଚନ୍ଦ୍ରଙ୍କୁ ଲୁହା ରଡ଼ରେ ପ୍ରବଳ ପିଟିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ହିମାଂଶୁ ଏବଂ ତାଙ୍କ ଝିଅ ଆକ୍ରମଣର ଶୀକାର ହୋଇଥିଲେ । ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ପ୍ରଥମେ କୃଷ୍ଣଚନ୍ଦ୍ର ପାଢୀଙ୍କୁ ମୃତ ଘୋଷଣା କରିଥିଲେ । ପରେ ଆଜି ସକାଳେ ହିମାଂଶୁ ପ୍ରାଣ ହରାଇଛନ୍ତି । ଭଉଣୀ ମଧ୍ୟ ଚିକିତ୍ସାଧୀନ ଅଛନ୍ତି ।