ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ସଙ୍କଟ କିମ୍ବା ଯୁଦ୍ଧ ସ୍ଥିତି ଉପୁଜିଲେ ଭାରତ ପାଇଁ ତେଲ ସମସ୍ୟା ବଡ଼ ବିପଦ ସୃଷ୍ଟି କରିପାରେ। ଏକ ସମ୍ପ୍ରତି ରିପୋର୍ଟ ଅନୁସାରେ, ଭାରତର ରଣନୀତିକ ପେଟ୍ରୋଲିୟମ୍ ଭଣ୍ଡାରରେ ଦେଶର ମାତ୍ର ୪.୯ ଦିନର ବ୍ୟବହାର ଉପଯୋଗୀ ଅଶୋଧିତ ତେଲ ଗଚ୍ଛିତ ରହିଛି। ବିଶ୍ୱର ତୃତୀୟ ବୃହତ୍ତମ ତେଲ ବ୍ୟବହାରକାରୀ ଦେଶ ଭାରତ ପାଇଁ ଏହି ସୂଚନା ବେଶ୍ ଚିନ୍ତାଜନକ।
ଆମେରିକା ଏବଂ ଚୀନ୍ ଭଳି ବଡ଼ ଦେଶଗୁଡ଼ିକ ତୁଳନାରେ ଭାରତର ଏହି ଜରୁରୀକାଳୀନ ତେଲ ଗଚ୍ଛିତ କ୍ଷମତା ଅତି ନଗଣ୍ୟ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଜରୁରୀ ସ୍ଥିତି ଏବଂ ସପ୍ଲାଇ ଚେନ୍ ବାଧାପ୍ରାପ୍ତ ହେଲେ ବ୍ୟବହାର କରିବା ପାଇଁ ଭାରତ ସରକାର ଦେଶର ତିନୋଟି ପ୍ରମୁଖ ସ୍ଥାନରେ ଭୂତଳ ପଥର ଗୁମ୍ଫା ମଧ୍ୟରେ ଅଶୋଧିତ ତେଲ ସଂରକ୍ଷିତ କରି ରଖିଛନ୍ତି। ଏଗୁଡ଼ିକ ହେଲା ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ), ମାଙ୍ଗାଲୁରୁ (କର୍ଣ୍ଣାଟକ) ପାଦୁର (କର୍ଣ୍ଣାଟକ)।
ଏହି ତିନୋଟିଯାକ କେନ୍ଦ୍ରର ସମୁଦାୟ କ୍ଷମତା ପ୍ରାୟ ୫.୩୩ ମିଲିୟନ ମେଟ୍ରିକ ଟନ (MMT)। କିନ୍ତୁ ଭାରତର ଦୈନିକ ତେଲ ବ୍ୟବହାର ବହୁତ ଅଧିକ ହୋଇଥିବାରୁ, ଏହି ସମ୍ପୂର୍ଣ୍ଣ ଭଣ୍ଡାର ଦେଶକୁ ମାତ୍ର ୪.୯ ଦିନ ପାଇଁ ତେଲ ଯୋଗାଇବାକୁ ସକ୍ଷମ।
ଆମେରିକା ଓ ଚୀନ୍ଠାରୁ ବହୁ ପଛରେ ଭାରତ
ଯେଉଁଠି ଭାରତ ପାଖରେ ମାତ୍ର ପ୍ରାୟ ୫ ଦିନର ତେଲ ବ୍ୟାକ୍-ଅପ୍ ଅଛି, ସେଠାରେ ଆମେରିକା ନିଜର ରଣନୀତିକ ଭଣ୍ଡାରରେ କେତେକ ମାସର ବ୍ୟବହାର ଉପଯୋଗୀ ଅଶୋଧିତ ତେଲ ସୁରକ୍ଷିତ କରି ରଖିଛି। ସେହିପରି ଚୀନ୍ ମଧ୍ୟ ନିଜର ଶକ୍ତି ସୁରକ୍ଷା ପାଇଁ ଭୂତଳ ଭଣ୍ଡାରର କ୍ଷମତାକୁ କ୍ରମାଗତ ଭାବେ ବୃଦ୍ଧି କରି ଚାଲିଛି।
ସରକାର କରୁଛନ୍ତି କ୍ଷମତା ବଢ଼ାଇବାକୁ ପ୍ରୟାସ
ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (IEA)ର ନିୟମ ଅନୁଯାୟୀ, ପ୍ରତ୍ୟେକ ପ୍ରମୁଖ ଦେଶ ପାଖରେ ଅନ୍ତତଃ ପକ୍ଷେ ୯୦ ଦିନର ନେଟ୍ ଆମଦାନୀ ସମାନ ଅଶୋଧିତ ତେଲର ସଂରକ୍ଷଣ ରହିବା ଆବଶ୍ୟକ। ଭାରତୀୟ ତେଲ କମ୍ପାନୀଗୁଡ଼ିକର ବ୍ୟବସାୟିକ ଭଣ୍ଡାରକୁ ମିଶାଇଲେ ଦେଶରେ ପ୍ରାୟ ୬୪ ଦିନର ବ୍ୟାକ୍-ଅପ୍ ରହୁଛି, ଯାହାକି ଆଇଇଏ (IEA) ମାନଦଣ୍ଡଠାରୁ କମ୍।
ଏହି ସମସ୍ୟାର ସମାଧାନ ପାଇଁ ଭାରତ ସରକାର SPR ଫେଜ୍-୨ ପ୍ରକଳ୍ପ ଉପରେ କାମ କରୁଛନ୍ତି। ଏହା ଅଧୀନରେ ଓଡ଼ିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରଠାରେ ଅତିରିକ୍ତ ବାଣିଜ୍ୟିକ ଓ ରଣନୀତିକ ଭଣ୍ଡାର ନିର୍ମାଣ କରିବାକୁ ଯୋଜନା ଚାଲିଛି, ଯାହାଦ୍ୱାରା ଦେଶର ତେଲ ସଂରକ୍ଷଣ କ୍ଷମତା ଆହୁରି ବୃଦ୍ଧି ପାଇବ ଏବଂ ଭବିଷ୍ୟତ ସଙ୍କଟରୁ ରକ୍ଷା ମିଳିପାରିବ।