ସମ୍ବଲପୁରରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଚଢ଼ାଉ କରାଯାଇଛି। ଭିମସାର (VIMSAR)ର ଇଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଧର ବିଶ୍ୱାଳ ଓ ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିଲା।
ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରୁ ସର୍ଚ୍ଚ ୱାରେଣ୍ଟ ମିଳିବା ପରେ ଏକାଧିକ ସ୍ଥାନରେ ଏହି ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ଧନୁର୍ଧର ବିଶ୍ୱାଳଙ୍କ ସମ୍ପତ୍ତି ଉପରେ ଚାରିଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ତଲାସି ସମୟରେ ସମ୍ବଲପୁରର ଧନକଉଡା ଅଞ୍ଚଳରେ ଥିବା ଏକ ଦୁଇ ମହଲା ବାସଭବନ, ସହର ଉପକଣ୍ଠରେ ପ୍ରାୟ ୨୦ଟି ମୂଲ୍ୟବାନ ପ୍ଲଟ୍, ଏକ ହାଇଭା ଟ୍ରକ୍, ଦୁଇଟି ଟ୍ରାକ୍ଟର ଏବଂ ସୁନା ଅଳଙ୍କାର ଠାବ କରାଯାଇଛି। ଏହାର ସଠିକ ମୂଲ୍ୟ ଏଯାବତ୍ ନିର୍ଣ୍ଣୟ ହୋଇନାହିଁ।
ଏହାସହ ଅଶ୍ୱିନୀ ମେହେରଙ୍କ ସମ୍ପତ୍ତି ଯାଞ୍ଚ ପାଇଁ ତାଙ୍କ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଦଳ ତଲାସି କରିଛି। ତାଙ୍କର ଚଳ ଓ ଅଚଳ ସମ୍ପତ୍ତି ସମ୍ପର୍କିତ ଦଲିଲପତ୍ର ଯାଞ୍ଚ ଚାଲିଛି। ଏହି ବଡ଼ ଅଭିଯାନରେ ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ।
ଭିଜିଲାନ୍ସ କହିଛି ଯେ, ତଲାସି ଓ ଦଲିଲପତ୍ର ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ଜବତ ସମ୍ପତ୍ତିର ମୋଟ ମୂଲ୍ୟ ସ୍ପଷ୍ଟ ହେବ। ସମ୍ବଲପୁରରେ ଏହି ଚଢ଼ାଉକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି। ଭିମସାର ସହ ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ଘରୁ ଏତେ ପରିମାଣର ସମ୍ପତ୍ତି ମିଳିବା ଘଟଣାକୁ ଭିଜିଲାନ୍ସର ଏକ ବଡ଼ ସଫଳତା ବୋଲି ମନାଯାଉଛି।