ପୁରୀ: ରଥଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଗରେ ରଖି ରେଳ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ଭାରତୀୟ ରେଳପଥ। ଜୁଲାଇ ମାସରେ ଯାତ୍ରୀଙ୍କ ବଢ଼ୁଥିବା ଭିଡ଼କୁ ଦୃଷ୍ଟିରେ ରଖି ୮ଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରାଯିବ। ଏହା ଫଳରେ ଅଧିକ ବର୍ଥ ଉପଲବ୍ଧ ହେବା ସହ ଯାତ୍ରୀମାନେ ଆରାମଦାୟକ ଯାତ୍ରାର ସୁବିଧା ପାଇବେ।
ରଥଯାତ୍ରା ସମୟରେ ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ପ୍ରତିବର୍ଷ ବ୍ୟାପକ ଭିଡ଼ ହୋଇଥାଏ। ଏହାକୁ ସୁଚାରୁ ଭାବେ ପରିଚାଳନା କରିବା ସହ ଯାତ୍ରୀଙ୍କ ଅସୁବିଧା କମାଇବା ପାଇଁ ରେଳବାଇ ଏହି ବ୍ୟବସ୍ଥା କରିଛି।
ଜୁଲାଇ ମାସରେ ପ୍ରଶାନ୍ତି ଏକ୍ସପ୍ରେସ, ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର–ତିରୁପତି ଏକ୍ସପ୍ରେସ, ସମ୍ବଲପୁର–ରାୟଗଡ଼ା ଏକ୍ସପ୍ରେସ, ହିରାଖଣ୍ଡ ଏକ୍ସପ୍ରେସ, ପୁରୀ–ଗୁଣୁପୁର ଏକ୍ସପ୍ରେସ, ସମ୍ବଲପୁର–ଶାଲିମାର ଏକ୍ସପ୍ରେସ ଏବଂ ଭୁବନେଶ୍ୱର–ପୁରୁଣାକଟକ ଇଣ୍ଟରସିଟି ଏକ୍ସପ୍ରେସରେ ଅତିରିକ୍ତ କୋଚ୍ ଲଗାଯିବ।
ଏହି ଟ୍ରେନଗୁଡ଼ିକରେ ଆବଶ୍ୟକତା ଅନୁସାରେ ଏସି ଥ୍ରୀ-ଟାୟାର, ଏସି ଚେୟାର କାର, ସ୍ଲିପର ଏବଂ ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ ସଂଯୋଗ କରାଯିବ। ବିଶେଷକରି ଭୁବନେଶ୍ୱରରୁ ବେଙ୍ଗାଲୁରୁ, ଦିଲ୍ଲୀ, ତିରୁପତି ଓ ଜଗଦଲପୁରକୁ ଯାଉଥିବା ଟ୍ରେନଗୁଡ଼ିକରେ ଏସି କୋଚ୍ ବଢ଼ାଯାଇଥିବା ବେଳେ, ରାଜ୍ୟ ଭିତରେ ଚଳାଚଳ କରୁଥିବା କିଛି ଟ୍ରେନରେ ଚେୟାର କାର, ସ୍ଲିପର ଓ ସାଧାରଣ କୋଚ୍ ବୃଦ୍ଧି କରାଯାଇଛି।
ଅଧିକାଂଶ ଟ୍ରେନରେ ଜୁଲାଇ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। କିଛି ଟ୍ରେନରେ ଫେରନ୍ତା ଯାତ୍ରା ପାଇଁ ଅଗଷ୍ଟ ୧ ପର୍ଯ୍ୟନ୍ତ ମଧ୍ୟ ଅତିରିକ୍ତ କୋଚ୍ ଚାଲିବ।ରେଳପଥର ଏହି ପଦକ୍ଷେପ ଫଳରେ ରଥଯାତ୍ରା ସମୟରେ ବର୍ଥ ସଙ୍କଟ କିଛି ପରିମାଣରେ କମିବା ସହ ଯାତ୍ରୀଙ୍କ ଉପରେ ଚାପ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଯେଉଁ ଯାତ୍ରୀମାନେ ଜୁଲାଇ ମାସରେ ଏହି ଟ୍ରେନଗୁଡ଼ିକରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ସେମାନେ ଏହି ଅତିରିକ୍ତ କୋଚ୍ ସୁବିଧାର ଲାଭ ପାଇପାରିବେ।