ଭୁବନେଶ୍ୱର: ଓଡ଼ିଶାରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମଙ୍ଗଳବାର ଭୁବନେଶ୍ୱରରେ ନବନିଯୁକ୍ତ ଶିଶୁ କଲ୍ୟାଣ କମିଟି (CWC)ର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ପାଇଁ ପାଞ୍ଚ ଦିନିଆ ଓରିଏଣ୍ଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି।
ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, "ଶିଶୁମାନେ ଦେଶର ସବୁଠାରୁ ମୂଲ୍ୟବାନ ସମ୍ପଦ। ସେମାନଙ୍କ ସୁରକ୍ଷା ଓ ଅଧିକାରର ସୁରକ୍ଷା କେବଳ ସରକାରଙ୍କ ନୁହେଁ, ବରଂ ସମସ୍ତଙ୍କ ସାମୂହିକ ଦାୟିତ୍ୱ"।
ସେ କହିଥିଲେ, ରାଜ୍ୟ ସରକାର ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିରେ ଅନୁଷ୍ଠାନଗତ କ୍ଷମତା ବୃଦ୍ଧି, ଉନ୍ନତ ସେବା ପ୍ରଦାନ, ନିୟମିତ ତଦାରଖ ଏବଂ କ୍ଷେତ୍ରସ୍ତରର କର୍ମଚାରୀଙ୍କୁ ସମୟ ସମୟରେ ପ୍ରଶିକ୍ଷଣ ଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି (OSCPS) ପକ୍ଷରୁ ଏହି ପ୍ରଶିକ୍ଷଣ ଆୟୋଜନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ନବନିଯୁକ୍ତ CWC ସଦସ୍ୟମାନଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ (କେୟାର ଆଣ୍ଡ ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ୍) ଆଇନ-୨୦୧୫ ସମ୍ପର୍କରେ ଆଇନଗତ ଜ୍ଞାନ, ବ୍ୟବହାରିକ ଦକ୍ଷତା ଓ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ଅବଗତ କରାଇବା।
ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-କମ୍-ସଚିବ ଡ଼. ମୃଣାଳିନୀ ଦର୍ଶୱାଲ, ଆଇସିଡିଏସ୍ ଓ ସମାଜ ମଙ୍ଗଳ ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ, ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ ଏବଂ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିଶୁ କଲ୍ୟାଣ କମିଟିର ସଦସ୍ୟମାନେ ନିଜ ଦାୟିତ୍ୱକୁ ଅଧିକ ଦକ୍ଷତାର ସହ ପାଳନ କରିପାରିବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।