କନ୍ଧମାଳ ଜିଲ୍ଲାର ବହୁଚର୍ଚ୍ଚିତ ହତ୍ୟା ମାମଲାରେ ମଙ୍ଗଳବାର ବଡ଼ ରାୟ ଶୁଣାଇଛନ୍ତି ଫୁଲବାଣୀ ପୋକ୍ସୋ ସ୍ୱତନ୍ତ୍ର ଅଦାଲତ। ଅଭିଯୁକ୍ତ ସୁମନ୍ତ ଡିଗାଲଙ୍କୁ ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଫୁଲବାଣୀର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ମନୋରଞ୍ଜନ ଦାସ ରାଇକିଆ ଥାନା ମାମଲା ନଂ-୨୪/୨୦୧୯ର ଶୁଣାଣି ପରେ ଏହି ରାୟ ପ୍ରକାଶ କରିଛନ୍ତି।
ଅଦାଲତ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ କଲେ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ସେହିପରି ଧାରା ୨୦୧ ଅନୁଯାୟୀ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଜରିମାନା ନ ଦେଲେ ଅତିରିକ୍ତ ୪ ମାସର କାରାଦଣ୍ଡ ଭୋଗିବାକୁ ହେବ। ଏହାସହ ପୀଡ଼ିତଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଫୁଲବାଣୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।
ଏହି ମାମଲାରେ ସ୍ୱତନ୍ତ୍ର ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ସରକାରଙ୍କ ପକ୍ଷ ରଖିଥିଲେ। ମାମଲାର ତଦାରଖ ଡିଡିପି ତ୍ରିଲୋଚନ ପରିଡ଼ା ଏବଂ ପବ୍ଲିକ ପ୍ରସିକ୍ୟୁଟର ପୂର୍ଣ୍ଣଚନ୍ଦ୍ର ନାଗ କରିଥିଲେ। ତଦନ୍ତକାରୀ ଅଧିକାରୀ ରାଜେଶ କୁମାର ଶ୍ରୀଚନ୍ଦନ ଓ ସେତେବେଳର ରାଇକିଆ ଥାନା ଆଇଆଇସି ନରେଶ କୁମାର ସାହୁଙ୍କ ତଦନ୍ତକୁ ମଧ୍ୟ ପ୍ରଶଂସା କରାଯାଇଛି।