ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଇଥାନଲ୍ ଯୋଗାଣ ବିବାଦ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଦେଶର ବର୍ତ୍ତମାନର ଯୋଗାଣ ବ୍ୟବସ୍ଥା ଏବଂ ଜାତୀୟ E20 ନୀତିକୁ କୋର୍ଟ ବଳବତ୍ତର ରଖିବାକୁ ଆଦେଶ ଦେଇଛନ୍ତି। ଏହା ସହିତ କର୍ଣ୍ଣାଟକ ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି, ଯେଉଁଥିରେ ତେଲ କମ୍ପାନୀଗୁଡ଼ିକୁ ଏକ ବେସରକାରୀ ଡିଷ୍ଟିଲରୀର ଇଥାନଲ୍ କୋଟା ଉପରେ ପୁନର୍ବାର ବିଚାର କରିବାକୁ କୁହାଯାଇଥିଲା।
ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ୍ ଶୀଲ୍ ନାଗୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ବରୁ ସ୍ଥିର ହୋଇସାରିଥିବା ଇଥାନଲ୍ ଆବଣ୍ଟନରେ ସଦ୍ୟ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ।
ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ହାଇକୋର୍ଟ 'ଭିନପ୍ ଡିଷ୍ଟିଲରିଜ୍ ଆଣ୍ଡ ସୁଗାର୍ ପ୍ରାଇଭେଟ୍ ଲିମିଟେଡ୍'ର ଆବେଦନକୁ ଗ୍ରହଣ କରି ତାର ଇଥାନଲ୍ କୋଟା ବୃଦ୍ଧି କରିବାକୁ ତେଲ ବିପଣନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଭାରତ ପେଟ୍ରୋଲିୟମ୍ (BPCL) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ନୀତି ଅସ୍ଥିର ହେବାର ଆଶଙ୍କା ପ୍ରକାଶ କଲେ ସରକାର
ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ ଆର୍. ଭେଙ୍କଟରମଣୀ କୋର୍ଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଯଦି କୌଣସି ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଦାବି ଆଧାରରେ ଇଥାନଲ୍ ଆବଣ୍ଟନ ବଦଳାଯାଏ, ତେବେ ଅନ୍ୟ ଯୋଗାଣକାରୀମାନେ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏହାଦ୍ୱାରା ସରକାରଙ୍କ ଜାତୀୟ ଏଥାନଲ୍ ଯୋଗାଣ ନୀତି ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ଓ ଅସ୍ଥିର ହୋଇପଡ଼ିବ।
ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ କରିବା ନେଇ ସରକାର ଯେଉଁ ନୀତି ଆପଣେଇଛନ୍ତି, ତାହା ବର୍ତ୍ତମାନ ଏକ ପ୍ରୟୋଗ ବୋଲି କେନ୍ଦ୍ର ସରକାର କୋର୍ଟରେ କହିଛନ୍ତି। ସରକାରଙ୍କ ଅନୁଯାୟୀ, ଏହି ନୀତିର ପ୍ରକୃତ ଏବଂ ବ୍ୟାପକ ସଫଳତା ଆସନ୍ତା ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଯିବ।