ଭୁବନେଶ୍ୱର: ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡ଼ି ଦୁର୍ଘଟଣା ପ୍ରତିଦିନ ଗୋଟିଏ ଅଶୁଭ ଖବର ନେଇକି ଆସୁଛି । ଆଜି ପୁଣି ଜଣେ ଓଡ଼ିଆ ମହିଳା ଶ୍ରମିକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେ ହେଲେ କେନ୍ଦୁଝର ଜିଲ୍ଲାର ଅଞ୍ଜନା ଜୁଆଙ୍ଗ । ଏ ନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।
ଗତ ମାସ ୨୧ ତାରିଖର ତାମିଲନାଡ଼ୁ ତିରୁଭଲୁର ଜିଲ୍ଲା ଅନ୍ତର୍ଗତ କାନିଗାଇପେରସ୍ଥିତ ସେଣ୍ଟ ପିଟର୍ ଆଣ୍ଡ ପାଉଲି ସିଫୁଡ୍ କମ୍ପାନିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏଥିରେ କାମ କରୁଥିବା ଓଡ଼ିଆ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ଚାରି ଜଣ ସେହି ଦିନ ପ୍ରାଣ ହରାଇଥିବା ବେଳେ ଏହା ପରେ ପ୍ରତ୍ୟେକ ଦିନ ଜଣ ଲେଖାଏ ମୃତ୍ୟୁ ବରଣ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଅନୁଗୁଳ ଜିଲ୍ଲାର ହୋଇଥିବାବେଳେ ଆଉ ସମସ୍ତେ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଅଟନ୍ତି । ମୃତ ମହିଳା ଶ୍ରମିକଙ୍କ ମାନେ ହେଲେ ଶିବାନୀ, ଗୀତା, ଗୁମଣୀ, ଜମୀନୀ, ଫୁଲମଣି, ସଜନୀ, ଚମ୍ପାବତୀ, ସୁବାସୀ, ରୀତା, ଦୀପାଞ୍ଜଳୀ, ସୁମିତ୍ରା ଜୁଆଙ୍ଗ ଓ କବିତା ଜୁଆଙ୍ଗ ଏବଂ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଆଲୋରି ପଞ୍ଚାୟତ ଅନ୍ଧାରୀସାହି ବାସିନ୍ଦା ବୁଧୁବାରୀ ନାୟକ (୨୫) । ଅଧିକାଂଶ ତେଲକୋଇ ଓ ବାଂଶପାଳର ଅଟନ୍ତି । ଏଥି ସହିତ ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ୧୬ କୁ ବୃଦ୍ଧି ପାଇଛି, ଯେଉଁଥିରେ କେବଳ ୧୪ ଜଣ ଅଛନ୍ତି ଓଡ଼ିଆ ମହିଳା।