ଭୁବନେଶ୍ୱର: ଚାଷୀଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି । ଏକ ବଡ଼ ବର୍ଷା ଆସୁଛି । ଜୁଲାଇ ୩ ତାରିଖ ବେଳକୁ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହା ଫଳରେ ଆଗାମୀ ତିନି ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଆସନ୍ତା ୩ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶକୁ ଲାଗି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହା ଆଗାମୀ ଦିନ ମଧ୍ୟରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୫ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ସେହିପରି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଲଘୁଚାପ ଜନିତ ବର୍ଷା ଦ୍ୱାରା ଚାଷୀକୂଳ ବେଶ ଉପକୃତ ହେବେ । ଆଗାମୀ ସାତ ଦିନ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାରୁ ନିଅଣ୍ଟିଆ ବର୍ଷାର ଭରଣ କରିବ । ଫଳରେ ଚାଷୀଭାଇମାନେ ନିଜର ଚାଷ କାମ ଆରମ୍ଭ କରିପାରିବେ ।
ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର୍ ପର୍ଯ୍ୟନ୍ତ ରହିବ । ସେହିପରି ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।