ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦୁର୍ଲଭ, ଲୋପପ୍ରାୟ ଏବଂ ବିପଦପୂର୍ଣ୍ଣ (RET) ଔଷଧୀୟ ବୃକ୍ଷଲତା ପ୍ରଜାତିର ସଂରକ୍ଷଣ ଏବଂ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରୁଥିବା ପାରମ୍ପରିକ ଜ୍ଞାନର ସୁରକ୍ଷା ପାଇଁ CSIR-NBRI ସହିତ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିଛି।
ଜନଜାତି କଲ୍ୟାଣକୁ ପ୍ରୋତ୍ସାହିତ କରିବା, ସ୍ଥାୟୀ ଜୀବିକାକୁ ଆଗକୁ ନେବା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ କରିବାର ଏକ ବଡ଼ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ (MoTA) ଲକ୍ଷ୍ନୌ ସ୍ଥିତ CSIR-ନ୍ୟାସନାଲ୍ ବୋଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (CSIR-NBRI) ସହିତ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିଛି। ଏହି ତିନି ବର୍ଷିଆ ଭାଗୀଦାରୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇଟି ସଂସ୍ଥା ମଧ୍ୟରେ ଏକ ନିରନ୍ତର ଓ ସହଯୋଗୀ ସମ୍ପର୍କ ସ୍ଥାପନ କରିବା, ଯାହାଦ୍ୱାରା ସାରା ଦେଶରେ ଜନଜାତି ଜୈବ-ସମ୍ପଦର ସଂରକ୍ଷଣ ଏବଂ ଏଥନୋବୋଟାନିକାଲ୍ (ପାରମ୍ପରିକ ଉଦ୍ଭିଦ-ସମ୍ବନ୍ଧୀୟ) ମୂଲ୍ୟାଙ୍କନ ପାଇଁ ଗବେଷଣା ଓ ବିକାଶକୁ ଆଗକୁ ବଢ଼ାଯାଇପାରିବ।
ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସଚିବ ରଞ୍ଜନା ଚୋପଡ଼ାଙ୍କ ଉପସ୍ଥିତିରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୀଷ ଠାକୁର ଏବଂ CSIR ର ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ଶସାନୀ ଏହି MoU ରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ CSIR ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଶରଦ ଶ୍ରୀବାସ୍ତବ ଏବଂ ବୈଜ୍ଞାନିକ ଡକ୍ଟର ସଚିତ୍ର ରଥ ଉପସ୍ଥିତ ଥିଲେ।
ବୈଜ୍ଞାନିକ ଗବେଷଣାରେ ଆଦିବାସୀଙ୍କ କଲ୍ୟାଣ ଉପରେ ଗୁରୁତ୍ୱ
ଏହି ଚୁକ୍ତିନାମା ଅଧୀନରେ ଆଦିବାସୀ କଲ୍ୟାଣ ଏବଂ ସମ୍ପ୍ରଦାୟର ସ୍ୱାୟତ୍ତତା ସମସ୍ତ ବୈଜ୍ଞାନିକ କାର୍ଯ୍ୟକଳାପର ମୂଳ ସିଦ୍ଧାନ୍ତ ଅଟେ। ଏହି ସହଭାଗିତା ବିଶେଷ ଭାବରେ ଦୁର୍ଲଭ, ଲୋପପ୍ରାୟ ଏବଂ ବିପଦପୂର୍ଣ୍ଣ (RET) ଔଷଧୀୟ ବୃକ୍ଷଲତା ପ୍ରଜାତିର ସଂରକ୍ଷଣ ଉପରେ କେନ୍ଦ୍ରୀଭୂତ। ଏଥିପାଇଁ ଟିସୁ କଲଚର୍ ସୁବିଧା ଏବଂ ସ୍ପେଶାଲାଇଜ୍ଡ୍ ସିଡ୍ ବ୍ୟାଙ୍କ (ବୀଜ ବ୍ୟାଙ୍କ) ର ବିକାଶ ଭଳି ଆଧୁନିକ ପଦକ୍ଷେପ ଗ୍ରହଣ କରାଯାଉଛି। ଦୀର୍ଘସ୍ଥାୟୀ ଏବଂ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ସ୍ଥାୟୀତ୍ୱ ନିଶ୍ଚିତ କରିବା ପାଇଁ ସ୍ଥାନୀୟ ଆଦିବାସୀ ଯୁବକମାନଙ୍କୁ ଏହି ବଂଶବୃଦ୍ଧି ଓ ସଂରକ୍ଷଣ କୌଶଳରେ ବ୍ୟାବହାରିକ ଦକ୍ଷତା ବୃଦ୍ଧି ଏବଂ ବୈଷୟିକ ତାଲିମ୍ ଦିଆଯିବ।
ଏହା ବ୍ୟତୀତ, ସମସ୍ତ ଆଞ୍ଚଳିକ ମୂଲ୍ୟାଙ୍କନ ଏବଂ ଗବେଷଣା କାର୍ଯ୍ୟକଳାପ ପାଇଁ ସ୍ଥାନୀୟ ଗ୍ରାମସଭା ଏବଂ ଆଦିବାସୀ ସମ୍ପ୍ରଦାୟର ପୂର୍ବ-ସୂଚିତ ସମ୍ମତି (PIC) ବାଧ୍ୟତାମୂଳକ ହେବ, ଯାହା ଜୈବ ବିବିଧତା ଆଇନ, ୨୦୦୨ କୁ ପାଳନ କରେ। ପ୍ରତ୍ୟେକ ଯୁଗ୍ମ ପ୍ରକଳ୍ପ ପ୍ରସ୍ତାବରେ ତୃଣମୂଳ ସ୍ତରରେ ସାମୁଦାୟିକ ବିକାଶ, ସ୍ଥାନୀୟ ମୂଲ୍ୟ ବୃଦ୍ଧି (Value Addition) ଏବଂ ଦକ୍ଷତା ବିକାଶ ପାଇଁ ଏକ ନିର୍ଦ୍ଧାରିତ ବଜେଟ୍ ଅଂଶ ସାମିଲ ରହିବ। ସ୍ଥାନୀୟ ସ୍ୱାର୍ଥର ସୁରକ୍ଷା ପାଇଁ ସୃଷ୍ଟି ହୋଇଥିବା ବୌଦ୍ଧିକ ସମ୍ପତ୍ତି (Intellectual Property) ଉପରେ MoTA ଏବଂ CSIR-NBRI ର ଯୁଗ୍ମ ମାଲିକାନା ରହିବ, ଯାହାକୁ ଅବଦାନ ଦେଇଥିବା ଆଦିବାସୀ ସମ୍ପ୍ରଦାୟ ପାଇଁ ନ୍ୟାସ (Trust) ରୂପେ ରଖାଯିବ କିମ୍ବା ସେମାନଙ୍କ ସହ ସମାନ ଭାବେ ଭାଗ କରାଯିବ। ଏହି ଆର୍ଥିକ ଲାଭ ଜାତୀୟ କିମ୍ବା ରାଜ୍ୟ ଜୈବ ବିବିଧତା ପାଣ୍ଠି ଏବଂ MoTA ର ସମର୍ପିତ କଲ୍ୟାଣକାରୀ ଯୋଜନା ଜରିଆରେ ପୁନର୍ବାର ଆଦିବାସୀଙ୍କ ପାଖକୁ ଫେରାଯିବ।
ଏହି ଚୁକ୍ତିନାମା ସ୍ପଷ୍ଟ ଭାବରେ ପାରମ୍ପରିକ ଜ୍ଞାନକୁ ଆଦିବାସୀ ଲୋକଙ୍କ ସାଂସ୍କୃତିକ ଐତିହ୍ୟ ଭାବେ ସ୍ୱୀକୃତି ଦିଏ, ଯାହାର ଅନଧିକୃତ ବ୍ୟାବସାୟିକରଣକୁ ରୋକିବା ପାଇଁ ଜାତୀୟ ପହଞ୍ଚ ଏବଂ ଲାଭ ସହଭାଗିତା ନିୟମାବଳୀର କଡ଼ାକଡ଼ି ପାଳନ ଜରୁରୀ।
ଆଧୁନିକ ବିଜ୍ଞାନ ସହ ଯୋଡ଼ିହେବେ ଆଦିବାସୀ
ଯୁଗ୍ମ କାର୍ଯ୍ୟକ୍ରମ, ସେମିନାର୍ ଏବଂ ପାରମ୍ପରିକ ଜ୍ଞାନୀ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ନିରନ୍ତର ଆଲୋଚନା ଓ ଆଦାନପ୍ରଦାନ କାର୍ଯ୍ୟକ୍ରମ ମାଧ୍ୟମରେ MoTA ର ଲକ୍ଷ୍ୟ ହେଉଛି ଆଦିବାସୀ ସମ୍ପ୍ରଦାୟର ଜ୍ଞାନକୁ ଆଧୁନିକ ଉଦ୍ଭିଦ ବିଜ୍ଞାନ (Botany) ସହିତ ଯୋଡ଼ିବା। ଆଦିବାସୀ ଯୁବକମାନଙ୍କୁ ସଶକ୍ତ କରି ଏବଂ ସ୍ଥାନୀୟ ଦକ୍ଷତାକୁ ମଜବୁତ୍ କରି, ଏହି ମେଣ୍ଟ ନିଶ୍ଚିତ କରେ ଯେ ଜୈବ-ସମ୍ପଦ ସଂରକ୍ଷଣର ସିଧାସଳଖ ଫାଇଦା ସମ୍ପ୍ରଦାୟର ସ୍ଥାୟୀ ବିକାଶ ଏବଂ ସାଂସ୍କୃତିକ ସଂରକ୍ଷଣ ରୂପରେ ମିଳିପାରିବ।