ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି (ଡିଏ) ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ବଡ଼ ସଫଳତା ମିଳିଛି। କଟକ ଜିଲ୍ଲା ବଡମ୍ବା ଗ୍ରାମ୍ୟ କାର୍ଯ୍ୟ ବିଭାଗର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଜେଇ) ତଥା ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ-୨ରୁ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଶିବନାରାୟଣ ପାଲଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ଶିବନାରାୟଣ ପାଲଙ୍କ ବିରୋଧରେ ଜଣାଶୁଣା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲା। ମାମଲାର ଶୁଣାଣି ପରେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଶିବନାରାୟଣ ପାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
ଏହାସହ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଏହି ଦୋଷସାବ୍ୟସ୍ତ ପରେ ଶିବନାରାୟଣ ପାଲଙ୍କ ପେନ୍ସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ।
ଓଡ଼ିଶା ଭିଜିଲାନ୍ସର ଏହି ସଫଳତା ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି ମଜବୁତ କରିଥିବା ବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଏକ କଡ଼ା ବାର୍ତ୍ତା ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଭଳି ଅଭିଯୋଗରେ ଭିଜିଲାନ୍ସ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ସୂଚନା ମିଳିଛି।