ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ କ୍ରମାଗତ ଉତ୍ତେଜନା ସାରା ବିଶ୍ୱ ଅର୍ଥନୀତିକୁ ପୁଣି ଥରେ ଦୋହଲାଇ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ଏବଂ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଜଳପଥକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ପ୍ରବଳ ବୃଦ୍ଧି ଦେଖିବାକୁ ମିଳିଛି। ବୁଧବାର ବ୍ରେଣ୍ଟ କ୍ରୁଡ୍ ଦର ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ବ୍ୟାରେଲ ପିଛା ୮୮ ଡଲାର ଅତିକ୍ରମ କରିଛି।
ଗ୍ଲୋବାଲ ମାର୍କେଟରେ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ପାଇ ବ୍ରେଣ୍ଟ କ୍ରୁଡ୍ ବ୍ୟାରେଲ ପିଛା ୮୮.୫୭ ଡଲାରରେ ପହଞ୍ଚିଥିବା ବେଳେ ଆମେରିକୀୟ WTI କ୍ରୁଡ୍ ଦର ବ୍ୟାରେଲ ପିଛା ୮୩.୨୫ ଡଲାର ଛୁଇଁଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ବିବାଦ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଆଶଙ୍କା ବ୍ୟବସାୟୀଙ୍କ ମନରେ ଭୟ ସୃଷ୍ଟି କରିଛି, ଯାହାର ସିଧାସଳଖ ପ୍ରଭାବ ତେଲ ଦର ଉପରେ ପଡ଼ିଛି।
ହର୍ମୁଜ ସଙ୍କଟ ଓ ଭାରତ ଉପରେ ପ୍ରଭାବ
ସାରା ବିଶ୍ୱର ପ୍ରାୟ ୨୦ ପ୍ରତିଶତରୁ ଅଧିକ ତେଲ କେବଳ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜଜ୍' ଦେଇ ପରିବହନ ହୋଇଥାଏ। ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ବଢ଼ିଲେ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ତେଲ ଯୋଗାଣ ବାଧାପ୍ରାପ୍ତ ହେବାର ବଡ଼ ଆଶଙ୍କା ରହିଛି। ଭାରତ ନିଜ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ଅଶୋଧିତ ତେଲ ଆମଦାନୀ କରିଥାଏ। ତେଣୁ ବିଶ୍ୱ ବଜାରରେ ତେଲ ମୂଲ୍ୟ ଏହିପରି ବୃଦ୍ଧି ପାଇଲେ, ଆଗାମୀ ଦିନରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
Also Read: PoK ରେ ନିର୍ବାଚନ, ହିଂସା ଓ ରାଜନୈତିକ ଘମାସାନ… ଭାରତ ବିରୋଧରେ ବିଷ ଓଗାଳିଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ