କେନ୍ଦୁଝର: ଲଘୁଚାପ ଜନିତ ଲଗାଣ ବର୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲାର ନିର୍ମାଣାଧୀନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପରେ ବଡ଼ ଘଟଣା ଘଟିଛି। ବୈତରଣୀ ନଦୀ ଉପରେ କଣ୍ଡରା ନିକଟରେ ନିର୍ମାଣାଧୀନ କାନପୁର ପ୍ରକଳ୍ପର କପର୍ ଡ୍ୟାମ୍ (ମାଟିବନ୍ଧ) ହଠାତ୍ ପ୍ରବଳ ଜଳସ୍ରୋତରେ ଭାଙ୍ଗିଯାଇଛି। ଏହା ପରେ ବୈତରଣୀର ତଳିଆ ଅଞ୍ଚଳରେ ସତର୍କତା ବଢ଼ାଇ ଦିଆଯାଇଛି।
ସୂଚନା ଅନୁସାରେ, ସ୍ପିଲୱେ ନିର୍ମାଣ କାମ ଚାଲିଥିବାରୁ ନିକଟରେ ଏକ ଅସ୍ଥାୟୀ ମାଟିବନ୍ଧ ନିର୍ମାଣ କରାଯାଇଥିଲା। କିନ୍ତୁ ଗତ କିଛି ଦିନର ଅବିରତ ବର୍ଷା ଯୋଗୁଁ ଡ୍ୟାମରେ ବିପୁଳ ପରିମାଣର ବର୍ଷାଜଳ ପ୍ରବେଶ କରିବାରୁ ଜଳଚାପ ବଢ଼ିଥିଲା ଏବଂ ଶେଷରେ କପର୍ ଡ୍ୟାମ୍ ଭାଙ୍ଗିଯାଇଥିଲା।
ଘଟଣା ପରେ ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ତହସିଲଦାର ଓ ଜଳସମ୍ପଦ ବିଭାଗର ଅଧିକାରୀମାନେ ପ୍ରକଳ୍ପ ସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟ ଡ୍ୟାମର ୬ଟି ରେଡିଆଲ ଗେଟ୍ ଏବଂ ୨ଟି ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏହି ୮ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୫୦୦ରୁ ୭୦୦ କ୍ୟୁସେକ୍ ବନ୍ୟାଜଳ ଛଡ଼ାଯାଉଛି।
ଏହାପରେ ବୈତରଣୀ ନଦୀର ତଳିଆ ଅଞ୍ଚଳରେ ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରାଯାଇଛି। ପ୍ରଶାସନ ପକ୍ଷରୁ ନଦୀ ନିକଟକୁ ନଯିବା, ପାଣିରେ ପ୍ରବେଶ ନକରିବା, ନଦୀ ପାର ହେବାରୁ ବିରତ ରହିବା ସହ ଛୋଟ ପିଲା ଓ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। କୌଣସି ସ୍ଥାନାନ୍ତର ନିର୍ଦ୍ଦେଶ ମିଳିଲେ ତୁରନ୍ତ ପାଳନ କରିବା ଏବଂ ଗୁଜବକୁ ବିଶ୍ୱାସ ନକରି କେବଳ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ମଧ୍ୟ ପ୍ରଶାସନ ଅପିଲ୍ କରିଛି।