ରାୟଗଡ଼ା: ଲଗାଣ ବର୍ଷା ଜନଜବୀନକୁ ଅସ୍ତବ୍ୟସ୍ତ କରିଦେଇଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ବାଘଡ଼ଙ୍ଗରୀ ଗ୍ରାମରେ ଓଦା କାନ୍ଥ ହୋଇଛି କାଳ । ଜଣେ ମହିଳାଙ୍କ ଉପରେ ଓଦା କାନ୍ଥ ଭୁଶୁଡ଼ି ପଡ଼ିବାରୁ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ବାଘଡ଼ଙ୍ଗରୀ ଗ୍ରାମର ରୁକୁଣି ବଛା ।
ପ୍ରାଥମିକ ସୂଚନା ଆଧାରରେ, ଗତ କିଛିଦିନ ହେବ ଲଗାଣ ବର୍ଷାରେ ବାଘଡ଼ଙ୍ଗରୀ ଗ୍ରାମରେ ଗୋଟିଏ ମାଟି ଘରର କାନ୍ଥ ଭିଜିକି ରହିଥିଲା । ଆଜି ଭୋର ସମୟରେ ରୁକୁଣି ଶୌଚ ହୋଇ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ଇଟା ଓ ମାଟିରେ ତିଆରି ଓଦା କାନ୍ଥ ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ । ଗ୍ରାମବାସୀ ରୁକୁଣିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ବହୁତ ଚେଷ୍ଟା କରିବା ପରେ ରୁକୁଣୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କିନ୍ତୁ ସେତେବେଳକୁ ସବୁକିଛି ସରିଯାଇଥିଲା । ରୁକୁଣୀ ପ୍ରାଣ ହରାଇସାରିଥିଲେ । ଏହି ଘଟଣା ସାରା ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି । ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।