ସମ୍ବଲପୁର: ଲଗାଣ ବର୍ଷାର ପ୍ରଭାବରେ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ଉପରମୁଣ୍ଡରୁ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରୁଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ଡ୍ୟାମ କର୍ତ୍ତୃପକ୍ଷ ନିରନ୍ତର ନଜର ରଖିଛନ୍ତି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଫୁଟ୍ ରେ ପହଞ୍ଚିଥିବା ବେଳେ ଡ୍ୟାମର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।
ସୂଚନା ଅନୁସାରେ, ଡ୍ୟାମର ଦକ୍ଷିଣ ପାର୍ଶ୍ୱର ଗୋଟିଏ ଏବଂ ବାମ ପାର୍ଶ୍ୱର ଗୋଟିଏ ସ୍ଲୁଇସ୍ ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୪ ହଜାର ୫୩୬ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବା ବେଳେ ୬୫ ହଜାର ୨୫୬ କ୍ୟୁସେକ ଜଳ ଛଡ଼ାଯାଉଛି। ବର୍ଷା ଜାରି ରହିଲେ ଆଗାମୀ ଦିନରେ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଥିବାରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଉଛି।
ଅନ୍ୟପଟେ, ମହାନଦୀର ମୁଣ୍ଡଳି ଅଞ୍ଚଳରେ ମଧ୍ୟ ଜଳପ୍ରବାହ ଦ୍ରୁତ ଗତିରେ ବଢ଼ୁଛି। ବର୍ତ୍ତମାନ ସେଠାରେ ୮ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି। ପ୍ରଶାସନ ପକ୍ଷରୁ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବା, ନଦୀ ନିକଟକୁ ନଯିବା ଏବଂ ସରକାରୀ ସୂଚନାକୁ ଅନୁସରଣ କରିବାକୁ ଅପିଲ୍ କରାଯାଇଛି। ବର୍ଷା ଓ ଜଳପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟା ପରିଚାଳନା ପାଇଁ ପ୍ରଶାସନ ସଜାଗ ରହିଛି।